କରୋନା ଆକ୍ରାନ୍ତ ସରପଞ୍ଚ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ଆକ୍ରାନ୍ତ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଟେଲିଫୋନ ଯୋଗେ କଥା ହୋଇଥିବା ବେଳେ ଅପରାହ୍ନରେ ଶିକ୍ଷକ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସହ କଥା ହୋଇଛନ୍ତି। କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତିି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ବୋଲି କହିଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ବ୍ୟବହାର କରୁଥିବା ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟକୁ ସାନିଟାଇଜ କରିବାକୁ ସେ ପରାମର୍ଶ ଦେଇଛନ୍ତି ।