କରୋନା ଆକ୍ରାନ୍ତ ଯୁବକ ଚିକିତ୍ସିତ ହୋଇଥିବା ଘରୋଇ କ୍ଲିନିକ ବନ୍ଦ

କଟକ ରୋଡ,୧୭।୩(ଡି.ଏନ୍‌.ଏ.): ରାଜଧାନୀର ଜଣେ ଯୁବକଙ୍କ ରକ୍ତ ନମୁନାରେ କରୋନା ଭୂତାଣୁ ଥିବା ଜଣାପଡିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଯୁବକଜଣକ ଇଟାଲୀରୁ ଭୁବନେଶ୍ୱର ଫେରିବା ପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ଉକ୍ତ କ୍ଲିନିକକୁ ୧୪ଦିନ ପାଇଁ ବନ୍ଦ କରିଦିଆଯାଇଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ରେ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଉକ୍ତ କ୍ଲିନିକରେ ପହଞ୍ଚିଥିଲେ। ଥଣ୍ଡା, କାଶ ପାଇଁ ଯୁବକ ଜଣକ ଏଠାରେ ଚିକିତ୍ସା ହୋଇଥିବା ନେଇ କ୍ଲିନିକ ଚଳାଉଥିବା ଡାକ୍ତରଙ୍କୁ ଯୁବକଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ। କ୍ଲିନିକରେ ରୋଗୀଙ୍କ ଗହଳି ଦେଖିବା ପରେ ଟିମ ତୁରନ୍ତ କ୍ଳିନିକ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଡାକ୍ତର ଓ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ୧୪ଦିନ ପର୍ଯ୍ୟନ୍ତ କ୍ଲିନିକ ବନ୍ଦ ରଖିବା ପାଇଁ କାନ୍ଥରେ ଲେଖିଦିଆଯାଇଥିଲା। ନିକଟରେ ଥିବା ଏକ ମେଡିଶିନ ଦୋକାନୀଙ୍କୁ ମଧ୍ୟ ପଚରାଉଚରା କରିବା ପରେ ଗହଳି କମ୍‌ କରିବା ପାଇଁ କୁହାଯାଇଥିବା ବ୍ୟବସାୟୀ ଆଶିଷ ପଟ୍ଟନାୟକ କହିଛନ୍ତି।