କରୋନା: ଆଉ ଜଣଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୮ା୨: କରୋନା ଭୂତାଣୁ ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ରୀଙ୍କ ରିପୋର୍ଟ ଶୁକ୍ରବାର ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ଫଳରେ ଓଡ଼ିଶା କରୋନା ଭୟ ଦୂର ହେବାରେ ଲାଗିଛି। ଉକ୍ତ ଛାତ୍ରୀଙ୍କୁ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ କରାଯିବ ବୋଲି ମେଡ଼ିକାଲ୍‌ ସୂତ୍ରରୁ ସୂଚନା ମିଳିଛି। ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୩ଜଣ କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ଆଉ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଜଗତ୍‌ସିଂହପୁର ଅଞ୍ଚଳର ସମ୍ପୃକ୍ତା ଛାତ୍ରୀ ଚାଇନାରେ ରହି ଏମ୍‌ବିବିଏସ୍‌ ପଢୁଥିଲେ। ଗତ ୧୯ ତାରିଖରେ ସେ ଘରକୁ ଫେରିବା ପରେ ତାଙ୍କୁ ସର୍ଦ୍ଦି ଓ କାଶ ହୋଇଥିଲା। ଚାଇନାରୁ ଫେରିଥିବା ଯୋଗୁ ସେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଗତ ରବିବାର ତାଙ୍କୁ ଏସ୍‌ସିବି ମେଡିକାଲର ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଛାତ୍ରୀଙ୍କ ସ୍ବାବ୍‌ ଏବଂ ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିଲା। ଏହି ରିପୋର୍ଟ ଶୁକ୍ରବାର ମିଳିଥିବା ବେଳେ ସେଥିରେ ନେଗେଟିଭ୍‌ ରହିଛି।
ଅନ୍ୟପକ୍ଷରେ ପ୍ରଥମେ ଫୁଲବାଣୀ ଅଞ୍ଚଳର ଛାତ୍ର ଏବଂ ଜଗତ୍‌ସିଂହପୁରର ଛାତ୍ରୀଙ୍କ ରିପୋର୍ଟ ନେଗେଟିଭ୍‌ ମିଳିବା ଫଳରେ ଓଡ଼ିଶାରେ କରୋନା ଭୂତାଣୁକୁ ନେଇ ଦେଖାଦେଇଥିବା ଭୟ କିଛି ମାତ୍ରାରେ କମିଛି। ଏସ୍‌ସିବି ମେଡିକାଲରେ ଆଉ ଜଣେ ଛାତ୍ର ଭର୍ତ୍ତି ହୋଇଥିବାବେଳେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଖୁବ୍‌ଶୀଘ୍ର ତାହା ହସ୍ତଗତ ହେବ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ଆଶାପ୍ରକାଶ କରିଛନ୍ତି। ଉକ୍ତ ଯୁବକଙ୍କ ଘର ଜଗତ୍‌ସିଂହପୁର ଜିଲାର ହୋଇଥିବା ବେଳେ ସେ ମଧ୍ୟ ଚାଇନାରୁ ଫେରିଛନ୍ତି।