କରୋନାରେ ସବୁଠାରୁ କନିଷ୍ଠ ମହିଳାଙ୍କ ମୃତ୍ୟୁ

ଓ୍ବାରସା,୨୧।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଇଟାଲିରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ବୟସ୍କଙ୍କ ହେଉଥିବା ବେଳେ ପୋଲାଣ୍ଡରେ ଜଣେ ସୁସ୍ଥ ଓ କମ୍‌ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ହୋଇଥିଲା। ଉକ୍ତ ମହିଳା ଜଣଙ୍କ ଏକ ଶିଶୁକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ମୃତ୍ୟୁ ପୂର୍ବରୁ ସେ ପୁରା ସୁସ୍ଥ ଥିଲେ। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣଙ୍କ ତାଙ୍କ ମା’ଙ୍କଠାରୁ ସଂକ୍ରମିତ ହୋଇଥିବା କୁହାଯାଉଛି। ନିକଟରେ ତାଙ୍କ ମା’ ଇଟାଲିରୁ ଫେରି ସଂକ୍ରମିତ ହୋଇଥିଲେ। ଅପରପକ୍ଷେ ଏହାକୁ ମିଶାଇ ପୋଲାଣ୍ଡରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୬କୁ ଛୁଇଁଛି। ତେବେ କରୋନା ଭାଇରସ୍‌ରେ ସାରା ବିଶ୍ୱରେ ସବୁଠାରୁ କନିଷ୍ଠଙ୍କ ମୃତ୍ୟୁ ହୋଇଥିବା ଏହା ପ୍ରଥମ ମାମଲା। କରୋନାରୁ ବର୍ତ୍ତିବା ପାଇଁ ପୋଲାଣ୍ଡ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହ ପ୍ରାୟ ୧୪ଲକ୍ଷ ଲୋକଙ୍କୁ ମୋବାଇଲ ଓ ଚିଠି ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ପଠାଇ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Share