କରୋନାଭାଇରସ୍‌ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ

ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା ଜଣେ ଯୁବକ ଧର୍ମ ଓ ଦେଶର ସୀମାକୁ ଭାଙ୍ଗି ଚାଇନା ଯୁବତୀଙ୍କୁ ବିବାହ କରିଛନ୍ତି। ଗୋଟିଏ ପଟେ ଚାଇନାରେ କରୋନାଭାଇରସ୍‌ ଆତଙ୍କ ଖେଳିଯାଇଥିବା ବେଳେ ଏହାରି ଭିତରେ ଉକ୍ତ ଯୁବକ ସବୁ ବାଧାବିଘ୍ନକୁ ଏଡାଇ ତାଙ୍କୁ ଜନ୍ମ ଜନ୍ମର ସାଥି କରିଛନ୍ତି। ଚାଇନାର ଯୁବତୀ ଜି ହାଓ ଓ ମଧ୍ୟପ୍ରଦେଶର ଯୁବକ ସତ୍ୟାର୍ଥ ମିଶ୍ର ରବିବାର ପରିବାରଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ତାଙ୍କର ଏହି ବିବାହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ସୂଚନା ମୁତାବକ ହାଓ ଓ ସତ୍ୟାର୍ଥଙ୍କ ସାକ୍ଷାତକାର ୫ବର୍ଷ ପୂର୍ବରୁ କାନାଡାରେ ହୋଇଥିଲା। ଏହାପରେ ତାଙ୍କ ବନ୍ଧୁତା ପ୍ରେମରେ ପାଲଟିଥିଲା। କିଛି ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟିଂ କରିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ପରିବାରବର୍ଗଙ୍କ ସହମତି ପରେ ବିବାହ ପାଇଁ ଚାଇନା ଯୁବତୀ ନିଜ ପରିବାରଙ୍କ ସହ ଭାରତ ଆସିଥିଲେ। ଭାରତ ଆସିବା ପରେ ଡାକ୍ତରୀ ଦଳର ଏକ ଟିମ୍‌ ତାଙ୍କୁ ଓ ତାଙ୍କ ପରିବାରର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଉକ୍ତ ଯାଞ୍ଚରେ ସେମାନଙ୍କୁ ଡାକ୍ତର ସୁସ୍ଥ ପାଇଥିଲେ। ଏହାପରେ ଭାରତୀୟ ପରମ୍ପରା ଅନୁସାରେ ରବିବାର ହାଓ ଓ ସତ୍ୟାର୍ଥଙ୍କ ବିବାହ ହୋଇଥିଲା।

Share