କରୋନାକୁ ପୂରିଲା ୧୩୫ ଦିନ: ସାମାନ୍ୟ ଅସାବଧାନତା ନେଇପାରେ ଅନେକଙ୍କ ଜୀବନ !

ନୂଆଦିଲ୍ଲୀ,୧୬।୬: କରୋନା ଭାଇରସକୁ ଏକ ଅଜଣା ବିଶ୍ୱାସଘାତୀ ଶତ୍ରୁ ବୋଲି କହି ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି ସାମାନ୍ୟ ଅବହେଳା ପରିସ୍ଥିତିକୁ ଆହୁଳି ଜଟିଳ କରିଦେଇପାରେ। ଦେଶରେ କରୋନା ତା’ର ସ୍ଥିତି ଜାରିର କରିବାର ୧୩୫ ଦିନ ପୂରଣ ହୋଇସାରିଲାଣି। ହେଲେ ଏବେ ପର୍ଯ୍ୟନ୍ତ ଏହା କମ୍‌ ହେବା ପରିବର୍ତ୍ତେ ବଢି ବଢି ଚାଲିଛି। ଏହି ଭାଇରସକୁ ନେଇ ଭାରତ କ’ଣ କ’ଣ ହାସଲ କରିଛି ଓ ଆଗକୁ ଦେଶପାଇଁ କ’ଣ ଚ୍ୟାଲେଞ୍ଜ ରହିଛି ତାକୁ ନେଇ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି)ର ନିର୍ଦ୍ଦେଶକ ଡାକ୍ତର ପ୍ରିୟା ଆବ୍ରାହମ ଓ ଡବ୍ଲୁଏଚ୍‌ଓର ପୂର୍ବତନ ମହାମାରୀ ରୋଗ ନିର୍ଦ୍ଦେଶକ ରାଜେଶ ଭାଟିଆ ୧୦୦ ଦିନର ଏକ ସମିକ୍ଷା କରିଥିବା ଜଣାପଡିଛି। ଏମାନଙ୍କ ମତରେ କରୋନା ମହାମାରୀକୁ ନେଇ କରାଯାଉଥିବା ସମସ୍ତ ଆକଳନ ଉପରେ ଭରସା କରିବା ଠିକ୍‌ ନୁହେଁ। ଏମାନେ କହିଛନ୍ତି କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ହେଲେ ଏହି ସମୟରେ ଅନେକ ଲୋକ ସେମାନଙ୍କ ରୋଜଗାର ହରାଇଲେ। ଅନେକେ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରି ଆସିବାକୁ ଚାହିଁଲେ। ଫଳରେ ରୋଗ ସଂକ୍ରମଣ ପ୍ରବାସୀଙ୍କ ଜରିଆରେ ବହୁ ପରିମାଣରେ ବୃଦ୍ଧି ହେଲା। ଏହାପରେ ପ୍ରତି ରାଜ୍ୟରେ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଗଲା। ସେହିପରି ଲକ୍‌ଡାଉନ ସମୟରେ ସଂକ୍ରମଣ ହାର କମ୍‌ ଥିବା ବେଳେ ଲକ୍‌ଡାଉନ କଟକଣା ହଟାଇ ନିଆଯିବା ପରେ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ଏହି ସମୟରେ ସାମାନ୍ୟ ଅବହେଳା ଆମକୁ ଆହୁରି ଅଧିକ ସମସ୍ୟା ଭିତରକୁ ଟାଣି ନେଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Share