କରୋନାକୁ ନିଷ୍ପ୍ରଭ କରିବ ବିକଶିତ ଟିକା

ରୋମ୍‌, ୭ା୫: ମହାମାରୀ କରୋନା ତାଣ୍ଡବ ବିଶ୍ୱବ୍ୟାପୀ ଜାରି ରହିଛି। ୨୧୨ ଦେଶର ଲୋକମାନେ ଏହାକୁ ନେଇ କୋକୁଆ ଭୟରେ ରହିଛନ୍ତି। ସାରା ବିଶ୍ୱରେ ଏବେ ପ୍ରାୟ ୩୮ ଲକ୍ଷ ଲୋକ କରୋନା ଭୂତାଣୁ ଜାଲରେ ଫସିଥିବା ବେଳେ ୨ ଲକ୍ଷ ୬୦ ହଜାର ଲୋକଙ୍କ ପ୍ରାଣ ଗଲାଣି। ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଖୁସି ଖବର ଲୋକଲୋଚନକୁ ଆସିଛି। ମଙ୍ଗଳବାର ଇସ୍ରାଏଲ ବୈଜ୍ଞାନିକମାନେ କରୋନାକୁ ପ୍ରଭାବହୀନ କରିବା ଲାଗି ବିକଶିତ ଆଣ୍ଟିବଡି ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଥିବା ବେଳେ ଇଟାଲୀ ପକ୍ଷରୁ ମଧ୍ୟ ଅନୁରୂପ ଦାବି କରାଯାଇଛି। କରୋନାକୁ ମାତ୍‌ଦେବା ଲାଗି ବିକଶିତ ଟିକା ଇଟାଲୀୟ ବୈଜ୍ଞାନିକମାନେ ବାହାର କରିଥିବା ଦାବି କରିଛନ୍ତି। ଏହି ଟିକା ମଣିଷ କୋଷରେ ଭୂତାଣୁ ସଂକ୍ରମଣ ଓ ପ୍ରଭାବକୁ ନଷ୍ଟକରିବାରେ ସହାୟକ ହେବ ବୋଲି ଦାବି କରାଯାଇଛି। ରୋମ୍‌ର ଏକ ହସ୍ପିଟାଲରେ ଏହାର ସଫଳ ପରୀକ୍ଷା କରାଯାଇଛି।
ରିପୋର୍ଟରୁ ଜଣାପଡ଼ିଛି ଯେ, ଟାକିସ୍‌ କମ୍ପାନୀର କେତେଜଣ ବୈଜ୍ଞାନିକ ମୂଷାଙ୍କଠାରେ ପ୍ରଥମେ ବିକଶିତ ଆଣ୍ଟିବଡିର ପରୀକ୍ଷା କରିଥିଲେ। ମଣିଷ କୋଷକୁ ଭୂତାଣୁରହିତ କରିବା ଲାଗି ଏହି ଆଣ୍ଟିବଡି ସଫଳ ହୋଇପାରିବ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି। ଏନେଇ ପ୍ରସ୍ତୁତ ଟିକାକୁ ମଣିଷର ମାଂସପେଶୀରେ ଦିଆଯିବା ପରେ ସାମାନ୍ୟ ବୈଦ୍ୟୁତିକ ଆବେଗ ଅନୁଭୂତ ହେବ। ଫୁସ୍‌ଫୁସ୍‌ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଏହା ବିଶେଷ ଫଳପ୍ରଦ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି। କରୋନା ଭୂତାଣୁ ଆକ୍ରାନ୍ତଙ୍କୁ ଏହି ଟିକା ଦିଆଗଲେ ସେ ସୁସ୍ଥ ହୋଇପାରିବେ ବୋଲି ଦାବି କରାଯାଇଛି। ଟାକିସ୍‌ କମ୍ପାନୀର ସିଇଓ ଲୁଇଗି ଅରିସଚ୍ଚିିଓ କହିଛନ୍ତି, ବିଶ୍ୱସ୍ତରରେ ଏହାକୁ ପ୍ରସାର ଓ ବିକଶିତ କରିବା ଲାଗି ଆମେ ଆଗ୍ରହୀ। ଏଭଳି ଟିକା ବାହାରକରିବା ଲାଗି ୯ ମାସରୁ ୨ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ସମୟ ଲାଗିଥାଏ। ତେବେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହାକୁ ଉଦ୍ଭାବନ କରାଯାଇ ପାରିଛି। ଇସ୍ରାଏଲ ଓ ଇଟାଲୀୟ ବୈଜ୍ଞାନିକଙ୍କ ଏଭଳି ଦାବିକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଛି।

Share