କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ ପାକିସ୍ତାନ ମାନି ଯାଇଥିବା ସୂଚନା ମିଳିଛି। ଏହି ଦ୍ୱିପାକ୍ଷିକ ବୈଠକ ସରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏଲ୍‌ସିଏଲ୍‌ ଦାସ କହିଛନ୍ତି, ଡେରା ବାବା ନାନକ ଓ ଏହାର ଆଖପାଖ ଅଞ୍ଚଳରେ ଆସୁଥିବା ବନ୍ୟା ସମ୍ପର୍କରେ ପାକିସ୍ତାନକୁ ଅବଗତ କରାଇଥିଲେ। ଅନ୍ୟପଟେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଡା. ମହମ୍ମଦ ଫୈସଲ କହିଛନ୍ତି ୨ ଦେଶ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ କଥା ସରିଥିବା ବେଳେ ସବୁ ବିଷୟରେ ଆଲୋଚନା ମଧ୍ୟ ସରିଛି। ବାକି ଥିବା କଥା ଆଉ ଏକ ବୈଠକରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ପାକିସ୍ତାନ ସ୍ପଷ୍ଟ କରିଛି ପ୍ରତିଦିନ ନନକାନା ସାହେବଙ୍କ ଦର୍ଶନ ପାଇଁ ୫ ହଜାର ଶ୍ରଦ୍ଧାଳୁ ଯାଇ ପାରିବେ। ଏହା ସହ ଭାରତ ବିରୋଧୀ କୌଣସି ଗତିବିଧିକୁ ପାକିସ୍ତାନ ଅନୁମତି ଦେବ ନାହିଁ।

Share