Categories: ଫୁରସତ

କମ୍‌ ତାପମାତ୍ରା ଜୋନ୍‌ରେ ଅସମ୍ଭାଳ ତାତି, ରାସ୍ତାରେ କରାଯାଇଛି ଓ୍ବାଟର ଫଲ୍‌, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

ସମଗ୍ର ୟୁରୋପରେ ବର୍ତ୍ତମାନ ଅସମ୍ଭାଳ ତାତି। ଜୁନ୍‌ ଶେଷ ସପ୍ତାହରେ ମଧ୍ୟ ଏଠାକାର ତାପମାତ୍ରା ୪୫ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ଶୁକ୍ରବାର ଏଠାରେ ତାପମାତ୍ରା ୪୫.୧ ଡିଗ୍ରୀ ସେଲସିୟସ ଥିଲା। ଏହା ପୂର୍ବରୁ ୨୦୦୩ ଅଗଷ୍ଟରେ ଦକ୍ଷିଣ ମଣ୍ଟେପେଲିୟରରେ ତାପମାତ୍ରା ୪୪.୧ ଡିଗ୍ରୀ ସେଲସିୟସ ଥିଲା। ୟୁରୋପ ୨୫ ଡିଗ୍ରୀରୁ ୪୫ ଡିଗ୍ରୀ ଅକ୍ଷାଂଶ ମଧ୍ୟରେ ଥିବାରୁ ଏହାକୁ କମ୍‌ ତାପମାତ୍ରା ଜୋନ୍‌ ବୋଲି କୁହାଯାଏ। କିନ୍ତୁ ଚଳିତବର୍ଷ ଏଠାରେ ସର୍ବାଧିକ ତାପମାତ୍ରା ଥିବା ଜଣାପଡ଼ିଛି। ୪୦ ଡିଗ୍ରୀ ଉତ୍ତାପ ହେଲେ ଏଠାକାର ଲୋକଙ୍କ ପାଇଁ ଅସମ୍ଭାଳ ହେଉଥିବାବେଳେ ଜୁନ୍‌ରେ ଏତେ ଅଧିକ ତାପମାତ୍ରା ଅସହ୍ୟ ହୋଇଛି। ପାଣିପାଗ ବୈଜ୍ଞାନିକ କୁହନ୍ତି, ୟୁରୋପରେ ବଢ଼ୁଥିବା ତାପମାତ୍ରା ପାଇଁ ଆଫ୍ରିକାରୁ ଆସୁଥିବା ଗରମ ପବନ ଦାୟୀ। ୩୪ ବର୍ଷ ମଧ୍ୟରେ ଏପରି ତାପମାତ୍ରା କେବେ ବଢ଼ି ନ ଥିଲା ବୋଲି କହିଛି ୟୁରୋପର ପାଣିପାଗ ବିଭାଗ। ୨୦୫୦ ମସିହାରେ ଏହା ୪ ଗୁଣ ହେବ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ସଡ଼କକୁ ଥଣ୍ଡା ରଖିବା ପାଇଁ ସେଠାକାର ସରକାର ସ୍ଥାନେ ସ୍ଥାନେ ଓ୍ବାଟର ଫଲ୍‌ର ବ୍ୟବସ୍ଥା କରିଥିବାବେଳେ ଆଉ କିଛି ସ୍ଥାନରେ ସୁଇମିଂ ପୁଲ୍‌ ମଧ୍ୟ କରିଛନ୍ତି। ଫଳରେ ଲୋକେ ତାତିରୁ ନିସ୍ତାର ପାଇପାରିବେ। ଏଠାକୁ ଯିବା ପାଇଁ ଲୋକଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ମାଗଣାରେ ଏହି ସୁବିଧା ଉପଲବ୍ଧ। ସ୍ପେନ୍‌ରେ ଦିନର ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ଫ୍ରାନ୍ସରେ ୩୨ଡିଗ୍ରୀ ଏବଂ ଜର୍ମାନୀରେ ୩୯ ଡିଗ୍ରୀ ଏବଂ ପ୍ୟାରିସ୍‌ରେ ୩୦ ଡିଗ୍ରୀ ସେଲ୍‌ସିୟସ ରହିଛି। ଆଶ୍ଚର୍ଯ୍ୟର କଥା ହେଲା ଏଗୁଡ଼ିକ ଅତ୍ୟନ୍ତ କମ୍‌ ତାପମାତ୍ରା ରହୁଥିବା ସ୍ଥାନ। କିନ୍ତୁ ଚଳିତବର୍ଷ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଯାହା ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି।

Share