Categories: ଫୁରସତ

କମେଡି ଯୋଡ଼ି

ଓଡ଼ିଆ ଯାତ୍ରାଜଗତରେ ବାପି-ଟୁକୁ ଏକ ଜଣାଶୁଣା ଯୋଡ଼ି। ବାପି-ଟୁକୁ ମଞ୍ଚକୁ ଆସିଲେ ତଳେ ବସିଥିବା ଦର୍ଶକଙ୍କ ଓଠରେ ମନକୁ ମନ ହସ ଫୁଟିଉଠେ। ଆଜିକୁ ପ୍ରାୟ ପନ୍ଦରବର୍ଷ ତଳେ ଏହି ଯୋଡ଼ିଙ୍କର ପ୍ରଥମ ଦେଖା ହୋଇଥିଲା। ସେତେବେଳେ ବାପି ‘ପଞ୍ଚସଖା ଗଣନାଟ୍ୟ’ରେ ଅଭିନୟ କରୁଥିଲେ। ଆଉ ‘ଧରିତ୍ରୀ ଅପେରା’ ଛାଡ଼ି ଟୁକୁ ସେହି ବର୍ଷ ଆସି ପହଞ୍ଚତ୍ଲେ ‘ପଞ୍ଚସଖା ଗଣନାଟ୍ୟ’ରେ। ଏଠାରେ ହିଁ ଜନ୍ମନେଲା ବାପି-ଟୁକୁ ଯୋଡ଼ି। ବାପିଙ୍କ ଘର ଜଗତ୍‌ସିଂହପୁର ହୋଇଥିବା ବେଳେ ଟୁକୁଙ୍କ ଘର ହେଉଛି ଭଦ୍ରକର ତିହିଡି। ଟୁକୁଙ୍କର ପିଲାବେଳୁ ନାଚଗୀତ ପ୍ରତି ରୁଚିଥିଲା। ପିଲାଙ୍କ ମେଳରେ ନାଚୁଥିଲେ। ଗଁାରେ ‘ଧରିତ୍ରୀ ଅପେରା’ ଯାତ୍ରା କରୁଥିଲା। ବାମଦେବବାବୁ ସେହି ପାର୍ଟିର ଡ୍ୟାନ୍ସ ମାଷ୍ଟର ଥିଲେ। ବାମଦେବବାବୁ ତାଙ୍କୁ ଯାତ୍ରାକୁ ନେଇ ଆସିଲେ। ତେବେ ଟୁକୁ ଯାତ୍ରାକୁ ଆସିବା କଥା ଘରେ ଜଣେଇ ନ ଥିଲେ। ଲୁଚି ଲୁଚି ଚାଲିଆସିଲେ ଯାତ୍ରାକୁ। ଘରଲୋକ ଖୋଜାଖୋଜି କରି ତାଙ୍କୁ ପାଇଲେ ଭୁବନେଶ୍ୱରର ଖଣ୍ଡଗିରିରେ। ତେବେ ସେତେବେଳକୁ ଯାତ୍ରାର ମାୟାରେ ପଡ଼ି ସାରିଥିଲେ ଟୁକୁ। ‘ପଞ୍ଚସଖା ଗଣନାଟ୍ୟ’ରେ ବାପିଙ୍କ ସହ ଦେଖା ହେବା ପରେ ତାଙ୍କ ଜୀବନର ମୋଡ଼ ବଦଳିଗଲା। ବାପି ହିଁ ତାଙ୍କୁ ପ୍ରଥମେ ପ୍ରସ୍ତାବ ଦେଲେ ମ୍ୟାରେଜ କରିବା ପାଇଁ। ବାସ୍‌, ସେମାନେ ମଞ୍ଚ ଅଭିନେତା ଅଭିନେତ୍ରୀରୁ ପାଲଟିଗଲେ ସ୍ବାମୀ ସ୍ତ୍ରୀ। ଟୁକୁଙ୍କ ମତରେ, ବାପି ତ ଜଣେ ଭଲ ଅଭିନେତା ଏକଥା ସତ। ତା’ ସହିତ ସେ ମଧ୍ୟ ଜଣେ ଭଲ ଜୀବନସାଥୀ। ମୋତେ ସବୁବେଳେ ସହଯୋଗ କରନ୍ତି। ତେବେ ଆମେ ବାହାରେ ସିନା ସ୍ବାମୀସ୍ତ୍ରୀ। ହେଲେ ମଞ୍ଚରେ ଆମେ ସମ୍ପୂର୍ଣ୍ଣ ଭାବରେ ଆମ ଚରିତ୍ର ଭିତରେ ପଶି କାମ କରୁ। କେମିତି ଚରିତ୍ରଟିକୁ ସରସସୁନ୍ଦର କରି ଦର୍ଶକଙ୍କର ମନୋରଞ୍ଜନ କରିବୁ ସେକଥା ଚିନ୍ତାକରୁ। ଉଭୟ ବାପି-ଟୁକୁ ଅନେକ ନାଟକରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ କେତୋଟି ହେଉଛି ‘ହସୁଛି କେବଳ କାନ୍ଦିବା ପାଇଁ’, ‘ବନ୍ଧା ପଡ଼ିଗଲା ସୁରେଶ ପଣ୍ଡା’, ‘ଶହେ ଶହେରେ ଖେଳ’, ‘ମାଳି ସାହି ମୀରା କାହାରି ନୁହେଁ’, ‘ଦିନକ ପାଇଁ ମୁଁ ଦ୍ରୌପଦୀ ହେବି’, ‘ଆଖି ତୁ କାନ୍ଦନା’, ‘ଚୁପ୍‌ଚାପ୍‌ କଥା ଟୁପ୍‌ଟାପ୍‌ ରାତି’। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ରହି ଲୋକମାନଙ୍କୁ ହସାଉଛନ୍ତି ବାପି-ଟୁକୁ। ସୂର୍ଯ୍ୟମନ୍ଦିରରେ ସେମାନେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ଭିତିରି କଥା’, ‘ପୁଅ ଯିବ ଶାଶୁଘର’।

Share