କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ ବଙ୍ଗୋପସାଗର ଉପକୂଳରେ ରହିଛି। ବାସୁଦେବପୁର ଅଞ୍ଚଳର ୧୫ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ମାଛ ଉପତ୍ାଦନ, ବିକ୍ରି ଓ ରପ୍ତାନୀ ଆଦି କାର୍ଯ୍ୟରେ ନିୟୋଜିତ ରହି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଚଳିତବର୍ଷର ଜଳବାୟୁ ପରିବର୍ତ୍ତନ ହେତୁ ଆବଶ୍ୟକ ପରିମାଣରେ ମାଛ ଉତ୍ପାଦନ ହୋଇପାରି ନାହିଁ। ତେବେ ଭିତ୍ତିଭୂମି ବିକାଶ ହୋଇପାରୁ ନ ଥିବାରୁ ମାଛ ଉତ୍ପାଦନ କମୁଥିବା କୁହାଯାଉଛି।
ବ୍ଲକର ଚୁଡ଼ାମଣି, କଷିଆ ଓ ପଢୁଁଆଠାରେ ସରକାରୀ ଭାବେ ୩ଟି ଜେଟି ନିର୍ମାଣ କରାଯାଇ ମାଛ ଉପତ୍ାଦନ ଓ ରପ୍ତାନୀ ପାଇଁ ବ୍ୟବସ୍ଥା କରାଯାଇଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ସାମୁଦ୍ରିକ ମାଛ ଉପତ୍ାଦନ କ୍ଷେତ୍ରରେ ୬୨୫୦ ମେଟ୍ରିକ ଟନ୍‌ ଧାର୍ଯ୍ୟ ଥିଲା। ଏହିବର୍ଷ ମୋଟ ୫୮୯୨.୪୬ ମେଟ୍ରିକ ଟନ୍‌ ମାଛ ଉପତ୍ାଦନ ହୋଇପାରିଛି। ଯାହାକି ଲକ୍ଷ୍ୟଠାରୁ ପଛରେ ପଡ଼ିଯାଇଛି। ଚୁଡ଼ାମଣି ଜେଟିରୁ ୧୯୧୯.୭୧ ଟନ୍‌, କଷିଆ ଜେଟିରୁ ୨୧୮୮.୩୨ ମେଟ୍ରିକ ଟନ୍‌, ପଢ଼ୁଁଆ ଜେଟିରୁ ୭.୦୫ ମେଟ୍ରିକ ଟନ୍‌ ମାଛ ଉପତ୍ାଦନ ହୋଇଛି। ଏହି ୩ଟି ଜେଟିରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୫୫୯୦ ମେଟ୍ରିକ ଟନ୍‌ ମାଛ, ୩୦୫ ମେଟ୍ରିକ ଟନ୍‌ ଚିଙ୍ଗୁଡ଼ି ଓ ୧.୫ ଟନ୍‌ କଙ୍କଡ଼ା ଉତ୍ପାଦନ ହୋଇଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୫.୫୦୦ ମେଟ୍ରିକ ଟନ୍‌ ମାଛ ଧରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିଲାବେଳେ ୫୪୯୦ ମେଟ୍ରିକ ଟନ୍‌ ଧରାଯାଇପାରିଥିଲା। ୩ଟି ଜେଟିରୁ ଉପତ୍ାଦିତ ମାଛ ସ୍ଥାନୀୟ ଅଞ୍ଚଳ ଓ ବାହାର ବଜାରର ମାଛ ଚାହିଦାକୁ ମେଣ୍ଟାଇ ପାରୁନାହିଁ। ଚୁଡ଼ାମଣି, କଷିଆ ଜେଟିର ଦୁର୍ବଳ ଭିତ୍ତିଭୂମି ଯୋଗୁ ମାଛ ଉପତ୍ାଦନ ହ୍ରାସ ହେଉଛି। ଚୁଡ଼ାମଣି ଜେଟି ଗୃହ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ ଏହା ମରାମତି କରାଯାଉ ନାହିଁ। ଅର୍ଦ୍ଧଭଗ୍ନ ଅବସ୍ଥାରେ ଜେଟି ଗୃହଗୁଡ଼ିକ ଏବେ ଭୂତକୋଟି ପାଲଟିଛି। ଗୃହ କାନ୍ଥରେ ବଡ଼ ବଡ଼ ଫାଟ ସହିତ ଛାତରୁ ପ୍ଲାଷ୍ଟର ଖସୁଛି। ଚୁଡ଼ାମଣି ଜେଟି ଅଧୀନରେ ୬୪ ଟ୍ରଲର, ୨୪ ଗିଲେଟିନ୍‌, ୯୬ ମୋଟରଚାଳିତ ବୋଟ ଥିଲାବେଳେ କଷିଆ ଜେଟିରେ ୯ଟି ଗିଲେଟିନ୍‌, ୭୫ ଯନ୍ତ୍ରଚାଳିତ ବୋଟ ଏବଂ ପଢୁଁଆରେ ୬ଟି ମୋଟରଚାଳିତ ବୋଟ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ରେଜିଷ୍ଟ୍ରେଶନ ସହ ଲାଇସେନ୍ସପ୍ରାପ୍ତ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଅମର କୁମାର ସାହୁ କହିଛନ୍ତି। କଷିଆ ଜେଟିରେ ମୁହାଣ ପୋତି ହୋଇପଡ଼ିଥିବା ସହିତ ଜେଟି ଗୃହ ନିର୍ମାଣ ହୋଇପାରିନାହିଁ। ଦୁର୍ବଳ ଭିତ୍ତିଭୂମି ଯୋଗୁ ଶତାଧିକ ମତ୍ସ୍ୟଜୀବୀ ପରିବାର ନିଜର ବେଉସା ହରାଇବାକୁ ବସିଛନ୍ତି ବୋଲି ଟ୍ରଲର ମାଲିକ ସଂଘ ପକ୍ଷରୁ ସମ୍ପାଦକ ଶଶୀକାନ୍ତ ନାୟକ ଓ ସଭାପତି ନୀଳକଣ୍ଠ ମଲିକ ପ୍ରକାଶ କରିଛନ୍ତି। ଦୁଇ ଜେଟିର ଭିତ୍ତିଭୂମି ବିକାଶ ପାଇଁ ମତ୍ସ୍ୟଜୀବୀଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।