କମୁଛି କୀଟପତଙ୍ଗ ସଂଖ୍ୟା

ଓ୍ବାଶିଂଟନ: ପୃଥିବୀରେ ଧୀରେ ଧୀରେ କୀଟପତଙ୍ଗ ସଂଖ୍ୟା କମିବାରେ ଲାଗିଛି। ପ୍ରତି ୧୦ ବର୍ଷରେ ୨୫ ପ୍ରତିଶତ କୀଟପତଙ୍ଗ କମିବାରେ ଲାଗିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଶିଳ୍ପାୟନ, କୃଷିକାର୍ଯ୍ୟରେ ବ୍ୟବହୃତ ହେଉଥିବା କୀଟନାଶକ ଯୋଗୁ ଏଭଳି ହେଉଛି। ମଣିଷର ବିଭିନ୍ନ କାର୍ଯ୍ୟ ଯୋଗୁ ପ୍ରାୟ ୧ ନିୟୁତ ପ୍ରଜାତିର କୀଟପତଙ୍ଗ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ପ୍ରାକୃତିକ ପରିବେଶ ଉପରେ ମଣିଷ ଦ୍ୱାରା ହେଉଥିବା ବିଭିନ୍ନ କାର୍ଯ୍ୟ ଯୋଗୁ ମଧ୍ୟ କୀଟପତଙ୍ଗ ମରୁଥିବା କୁହାଯାଉଛି। ଫଳରେ ଆଗାମୀ ଦିନରେ ବହୁ ଅଜଣା ରୋଗ ମାନବ ସମାଜରେ ଦେଖାର ଆଶଙ୍କା ସୃଷ୍ଟି ହୋଇଛି।
ପରିବେଶ ଶୃଙ୍ଖଳରେ ଗୋଟିଏ ପ୍ରଜାତି ଅନ୍ୟ ପ୍ରଜାତିି ଉପରେ ନିର୍ଭରଶୀଳ। କୀଟପତଙ୍ଗଙ୍କ ସଂଖ୍ୟା କମିବା ଯୋଗୁ ସେମାନଙ୍କ ଉପରେ ନିର୍ଭର କରୁଥିବା ବହୁ ଉପକାରୀ ପ୍ରଜାତି ଲୋପ ହେବାର ଆଶଙ୍କା ରହିଛି। ମାଟିରେ ବାସ କରୁଥିବା କୀଟପତଙ୍ଗଙ୍କ ପରେ ବାୟୁମଣ୍ଡଳରେ ଉଡ଼ି ବୁଲୁଥିବା କୀଟପତଙ୍ଗ ଲୋପ ପାଇବାର ଦ୍ୱିତୀୟସ୍ତରରେ ରହିଛନ୍ତି। ପଶ୍ଚିମ ଆମେରିକା, ୟୁରୋପ ଏବଂ ଜର୍ମାନୀରେ ଏଭଳି କୀଟପତଙ୍ଗଙ୍କ ସଂଖ୍ୟା ଅଧିକ ରହିଛି। ୨୦୦୫ଠାରୁ ଜର୍ମାନୀରେ ବାୟୁମଣ୍ଡଳରେ ଉଡ଼ିବୁଲୁଥିବା କୀଟପତଙ୍ଗଙ୍କ ଲୋପ ପାଇବା ହାର ଅଧିକ। ପୃଥିବୀର ୧୬୬ ଅଞ୍ଚଳର ୧,୬୭୬ ସ୍ଥାନରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ତେବେ ଜଳରେ ବାସ କରୁଥିବା କେତେକ କୀଟ ପ୍ରଜାତିଙ୍କ ସଂଖ୍ୟା ଇତିମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରଜାପତିଙ୍କ ଉପରେ ଦୀର୍ଘ ୩୦ ବର୍ଷ ଧରି ଆମେରିକାରେ ଅଧ୍ୟୟନ କରୁଥିବା ଆନ୍‌ ସ୍ବେନ୍‌ଞ୍ଜେଲ କହିଛନ୍ତି ଯେ, ମଣିଷର ବିଭିନ୍ନ କାର୍ଯ୍ୟ ଯୋଗୁ ବହୁ ଅଞ୍ଚଳରେ ପ୍ରଜାପତିଙ୍କ ବହୁ ପ୍ରଜାତି ଲୋପ ପାଇଥିଲେ ମଧ୍ୟ ଅନ୍ୟ କିଛି ସ୍ଥାନରେ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ କୀଟପତଙ୍ଗ ପ୍ରଜାତିକୁ ସଂରକ୍ଷଣ କରାଯିବା ଭଳି ପଦକ୍ଷେପ ପ୍ରାକୃତିକ ପରିବେଶ ଅକ୍ଷୁଣ୍ଣ ରଖିପାରିବ ବୋଲି ପରିବେଶବିତ୍‌ ଡ. ଭେନ୍‌ କ୍ଲିଙ୍କ୍‌ ସୂଚନା ଦେଇଛନ୍ତି। କୀଟପତଙ୍ଗ ଅଧିକ ସଂଖ୍ୟକ ଛୁଆ ସୃଷ୍ଟି କରୁଥିବାରୁ ଆବଶ୍ୟକ ସଂରକ୍ଷଣ ପଦ୍ଧତି ଦ୍ୱାରା ସେମାନଙ୍କ ସଂଖ୍ୟା ଖୁବ୍‌ଶୀଘ୍ର ପୂର୍ବପରି ହୋଇପାରିବ ବୋଲି ଅନୁମାନ କରାଯାଉଥିବା କ୍ଲିଙ୍କ୍‌ କହିଛନ୍ତି।

Share