Categories: ଜାତୀୟ

କମଳନାଥଙ୍କ ଅଡୁଆ ବଢ଼ିଲା

ନୂଆଦିଲ୍ଲୀ,୧୦ା୯(ଆଇଏଏନ୍‌ଏସ୍‌): ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା ଫାଇଲ ପୁଣି ଥରେ ଖୋଲିବା ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଞ୍ଜୁରୀ ଦେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅଡୁଆ ବଢ଼ିଯାଇଛି। କମଳନାଥଙ୍କ ବିରୋଧରେ ମାମଲା ଚାଲିବ ବୋଲି ଦିଲ୍ଲୀର ଶିରୋମଣି ଅକାଳୀ ଦଳ ବିଧାୟକ ମନିନ୍ଦର ସିଂ ସିର୍ସା ସୂଚନା ଦେଇଛନ୍ତି। କମଳନାଥଙ୍କ ବିରୋଧରେ ମାମଲାର ଫାଇଲ ପୁଣିଥରେ ଖୋଲୁଥିବାରୁ ଅକାଳୀ ଦଳର ଏହା ବଡ଼ ବିଜୟ ବୋଲି ସେ କହିଛନ୍ତି।
ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାରା ପରିଚାଳନା କମିଟି ଅଧ୍ୟକ୍ଷ ଥିବା ସିର୍ସା କହିଛନ୍ତି, କମଳନାଥଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ଏସ୍‌ଆଇଟି କରିବ। କମଳନାଥ ଶିଖ୍‌ମାନଙ୍କୁ ହତ୍ୟା କରିଥିବା ଘଟଣାରେ ଯେଉଁମାନେ ପ୍ରତ୍ୟକ୍ଷଦର୍ଶୀ ସେମାନେ ନିର୍ଭୟରେ ଆସି ସାକ୍ଷ୍ୟ ଦେବା ପାଇଁ ସିର୍ସା ଟୁଇଟ୍‌ କରି ଅନୁରୋଧ କରିଛନ୍ତି। କମଳନାଥ ଖୁବ୍‌ଶୀଘ୍ର ଗିରଫ ହେବେ ଓ ସଜ୍ଜନ କୁମାର ଦଶା ଭୋଗିବେ ବୋଲି ଅକାଳୀ ନେତା କହିଛନ୍ତି।
ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଆଜୀବନ ଜେଲ୍‌ଦଣ୍ଡ ଭୋଗୁଛନ୍ତି। ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍‌ ଅଙ୍ଗରକ୍ଷୀ ହତ୍ୟା କରିବା ପରେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଶିଖ୍‌ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ଶିଖ୍‌ମାନଙ୍କୁ ନ୍ୟାୟ ଦେବାକୁ ହେଲେ କମଳନାଥଙ୍କୁ ଇସ୍ତଫା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୁହନ୍ତୁ ବୋଲି ଅକାଳୀ ନେତା ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ଦଳ ଅଧ୍ୟକ୍ଷା ଉଭୟ କମଳନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଲ୍ଲୀ ଡାକିଛନ୍ତି। ମଙ୍ଗଳବାର ଓ ବୁଧବାର ସେମାନଙ୍କ ସହ ସୋନିଆ ପୃଥକ୍‌ ଭାବେ ଆଲୋଚନା କରିବେ।

Share