କମରପଦା ଛକରେ ଦୁର୍ଘଟଣା: ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କଟକସଦର,୨୩।୨(ଡି.ଏନ୍‌.ଏ): କଟକ-ପାରାଦୀପ ୧୨ନଂ. ରାଜ୍ୟ ରାଜପଥ କମରପଦା ଛକରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତ୍‌ସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ ଅଲାଣ୍ଡୋ ଗ୍ରାମର ଶୁକଦେବ ଲୋଇ(୩୫)।
ସୂଚନାଯୋଗ୍ୟ, ସକାଳେ ଶୁକଦେବ ପାରାଦୀପ ପଟୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ କିଶନନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି କଟକ ବଡ଼ ମେଡିକାଲ ପଠାଇଛି। ଦୁର୍ଘଟଣା ଘଟାଇଥିବା ଭ୍ୟାନ୍‌ଟିକୁ ମଧ୍ୟ ଜବତ କରିଛି। ଏହା ସହ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଉକ୍ତ ରାସ୍ତା ଅବରୋଧ କରିଥିଲେ। ରେଡକ୍ରସ ପାଣ୍ଠିରୁ ଶୁକଦେବଙ୍କ ପରିବାରକୁ ୧୦ ହଜାର ଟଙ୍କା ଦିଆଯିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଛି।