Categories: ଫୁରସତ

କଫିନ୍‌ ଭିତରେ ଶାନ୍ତି

ନୂଆଦିଲ୍ଲୀ: କଫିନ୍‌ ଭିତରେ ଶୋଇଲେ ଶାନ୍ତି ମିଳିବ। ମନ ହାଲକା ଲାଗିବ। ଏକଥା ଶୁଣିବା ମାତ୍ରେ ସମସ୍ତଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହେବ ନିଶ୍ଚୟ। ଏଭଳି ଏକ କଥାକୁ ଅନେକ ଅବିଶ୍ୱାସ ବି ଭାବିପାରନ୍ତି। କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜାପାନର ଟୋକିଓରେ। କରୋନା ସମୟରେ ଲୋକଙ୍କ ଅବସାଦ ଦୂର କରିବା ପାଇଁ ଏବେ ଏଭଳି ଏକ ପ୍ରଣାଳୀକୁ ଆପଣାଉଛନ୍ତି ଲୋକେ। ଟୋକିଓର ଏକ ନିର୍ଦ୍ଦିଷ୍ଟ ପ୍ରଡକ୍ସନ କମ୍ପାନୀ କୋୱାଗରାସେତାଇ ଏବେ ଲୋକଙ୍କୁ କଫିନ୍‌ ଭିତରେ ଶୋଇ ଷ୍ଟେସ୍‌ ଦୂର କରିବା ପାଇଁ ଅଫର୍‌ ଦେଉଛି। କଫିନ୍‌ ଭିତରେ ଏଥିପାଇଁ କମ୍ପାନୀ ୧୫ ମିନିଟ୍‌ ପାଇଁ ଗ୍ରାହକମାନଙ୍କୁ ଏକ ଶୋ ଦେଖାଇବ। ୨ ମିଟର ଲମ୍ବର କଫିନ୍‌ ଭିତରେ ଗ୍ରାହକମାନେ ଶୋଇବା ସହିତ ସେହି ସମୟରେ ହରର୍‌ ଫିଲ୍ମର ବିଭିନ୍ନ ଦୃଶ୍ୟ ଦେଖିପାରିବେ। କରୋନା ଭାଇରସ୍‌ ପାଇଁ ଲୋକଙ୍କ ପାଇଁ ମନୋରଞ୍ଜନର ସବୁ ମାଧ୍ୟମ ପ୍ରାୟତଃ ବନ୍ଦ ହୋଇଯାଇଛି। ତେଣୁ ଲୋକେ ଅଧିକାଂଶ ସମୟ ଘରେ ରହି ଅବସାଦର ଶିକାର ହେଉଛନ୍ତି। ଏସମୟରେ ଲୋକଙ୍କୁ ରିଲାକ୍ସ କରିବା ପାଇଁ ଏଭଳି ଏକ ଉପାୟକୁ ଆପଣାଇବା ପାଇଁ ପ୍ରୟାସ କରାଯାଇଛି। ଲୋକେ ଏଭଳି ଉପାୟରେ ଏକ ଭିନ୍ନ ଅନୁଭବ କରିବା ସହିତ ଏଠାରୁ ଫେରିବା ପରେ ରିଲାକ୍ସ ହୋଇପାରୁଛନ୍ତି ବୋଲି କହିଛନ୍ତି। ଭିନ୍ନ କଥା ହେଉଛି କଫିନ୍‌ ଭିତରେ ଏଭଳି ଶୋ ଆୟୋଜନ କରୁଥିବା କମ୍ପାନୀ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଶୋ କରୁଛି। ରାତିରେ ବସ୍‌ରେ ଦୂର ଯାତ୍ରା କରୁଥିବା ଲୋକେ ବାର୍‌ କିମ୍ବା ଲଜ୍‌ରେ ରହୁଥିବା ଲୋକଙ୍କ ପାଇଁ ବିଶେଷ ଭାବରେ ଏଭଳି ଶୋ କରାଯାଉଛି। ତେବେ ଗ୍ରାହକଙ୍କ ସୁବିଧା ଅନୁସାରେ କଫିନ୍‌କୁ ନେଇ ଯିବା ଆସିବା ସହଜ ହେଉଥିବାରୁ ଗ୍ରାହକଙ୍କୁ ସହଜରେ ସେବା ପ୍ରଦାନ କରି ହେଉଛି। ଏହି ବ୍ୟବସାୟ ଏବେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି।

Share