କପା ଫସଲର ଅମଳ ପରବର୍ତ୍ତୀ ଯତ୍ନ ଉପରେ ତାଲିମ

କେସିଙ୍ଗା,୨୭।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମପଞ୍ଚାୟତ ସଉରାପଦର କାଜୁ ପଡିଆଠାରେ ଭବାନୀପାଟଣା କପା ବିଶେଷଜ୍ଞଙ୍କ ଆନୁକୂଲ୍ୟରେ ଦିନିକିଆ ସମନ୍ବିତ କପା ଉତ୍ପାଦନ ତାଲିମ ଶିବିର ଗୁରୁବାର ଅନୁଷ୍ଠିତ ହୋଇଥିଲା । କେସିଙ୍ଗା ବ୍ଲକରେ ୧୦ ହଜାର ୯୯୦ ହେକ୍ଟର ଜମିରେ ଚଳିତ ଖରିଫ ଋତୁରେ କପା ଚାଷ ହୋଇଛି । ଏଥିପାଇଁ କପା ବିଶେଷଜ୍ଞ ଭବାନୀପାଟଣା ପକ୍ଷରୁ ଚାଷୀମାନଙ୍କୁ କପା ଉତ୍ପାଦନ, ବିହନ ବିଶୋଧନ, ବିହନ ସଂଗ୍ରହ, ଜଳବାୟୁ ଓ ମୃତ୍ତିକା, ବିହନ କିସମ, ବିହନ ଲଗାଇବା ପ୍ରଣାଳୀ, ଜମି ପ୍ରସ୍ତୁତି, ସମନ୍ବିତ ଖାଦ୍ୟ ସାର ପରିଚାଳନା, ୮ ଧାଡି କପା ଫସଲରେ ୨ ଧାଡି, ହରଡ, ବିରି, ଝୁଡଙ୍ଗ, ସୋୟାବିନ ପ୍ରଭୃତି ଲଗାଇବା ସହିତ ଫସଲ ସଂରକ୍ଷଣ, ପୋକ ସୁରକ୍ଷା, କପା ଫସଲର ମୁଖ୍ୟ ରୋଗ ନିବାରଣ ଆଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ଚଳିତ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଭାରତ ସରକାରଙ୍କ ଦ୍ୱାରା ମଧ୍ୟମ ଲମ୍ବର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୫ ହଜାର ୧୫୦ରୁ ୫ ହଜାର ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତି ସଂସ୍ଥା ଭାରତ କପା ନିଗମ (ସିସିଆଇ) କପାର ଗୁଣ ନିର୍ଣ୍ଣୟ କରି ଉଚିତ ମୂଲ୍ୟରେ କ୍ରୟ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଚାଷୀମାନେ ତରବରିଆ ନ ହୋଇ କପା ଅମଳ ପରେ ଉଚିତ ମୂଲ୍ୟରେ ବିକ୍ରୟ କରିବା ପାଇଁ ଆଲୋକପାତ କରିଥିଲେ । ପରଲସିଙ୍ଗା ଗ୍ରାମ ପଞ୍ଚାୟତରେ କପା ୮ ଧାଡିରେ ହରଡ, ୨ ଧାଡି ଚାଷ , ୧୦୦ ହେକ୍ଟର ଜମିରେ ୪ଠି ଗ୍ରାମରେ କରାଯାଇଥିବା ଚାଷୀମାନଙ୍କୁ ଉନ୍ନତ ଧରଣ କପା ଚାଷ ବିଷୟରେ ବୁଝାଇଥିଲେ । ଏହି ତାଲିମ ଶିବିରରେ କପା ବିଶେଷଜ୍ଞ କଳାହାଣ୍ଡି ନାରାୟଣ ଉପାଧ୍ୟାୟ, ବିହନ ଉତ୍ପାଦନ ଅଧିକାରୀ ସୁବାଶ ଚନ୍ଦ୍ର ବେହେରା, କୃଷି ଅଧିଦର୍ଶକ ବାଲସି ତନୁଚରଣ ନାଏକ ପ୍ରମୁଖ ଏହି ତାଲିମ ଶିବିରରେ ତାଲିମ ପ୍ରଦାନ କରିଥିଲେ ।