କନ୍‌ଷ୍ଟେବଳଙ୍କୁ ନିର୍ଘାତ ମାଡ଼

ଭୁବନେଶ୍ୱର, ୭ା୩(ବ୍ୟୁରୋ): ରାଜଧାନୀ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସାଧାରଣ ଜନତାଙ୍କ କଥା ଛାଡ଼, ଅନ୍ୟକୁ ସୁରକ୍ଷା ଦେଉଥିବା ପୋଲିସ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଗୁରୁବାର ସିଆର୍‌ପି ଅଞ୍ଚଳରେ ଜଣେ ଛାତ୍ର ଏବଂ କଟକରୋଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହଣାଯାଇଥିବାବେଳେ ବୁଧବାର ଶହୀଦନଗର ଥାନାର କନଷ୍ଟେବଳ ସେକ୍‌ ରିଆଜୁଦ୍ଦିନ ମଧ୍ୟ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ୮ରୁ ୧୦ ଜଣ ଯୁବକ ସୈନିକ ସ୍କୁଲ ନିକଟରେ ନିର୍ଘାତ ମାଡ ମାରିଛନ୍ତି। ରିଆଜୁଦ୍ଦିନ ପୋଲିସ ପୋଷାକରେ ଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ କିଛି ଫରକ ପଡ଼ି ନ ଥିଲା। ଲହୁଲୁହାଣ ହେବା ପର୍ଯ୍ୟନ୍ତ ତାଙ୍କୁ ପିଟି ଚାଲିଥିଲେ ସେମାନେ। ରିଆଜୁଦ୍ଦିନଙ୍କ ଆଖି ଫୁଲିଯିବା ସହ ଦେହରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହେଲେ କୌଣସି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇନାହିଁ। ଶୁକ୍ରବାର ପୋଲିସ ଦୁଇଜଣଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନଙ୍କୁ ଛାଡ଼ି ଦେଇଛି।
ସୂଚନା ଅନୁଯାୟୀ, ରିଆଜୁଦ୍ଦିନ ବୁଧବାର ଶହୀଦନଗର ଥାନାରେ କାର୍ଯ୍ୟ କରୁଥିଲେ। ଅପରାହ୍ନ ପ୍ରାୟ ସାଢେ ୫ରେ ସେ ବାଇକ ପାଟ୍ରୋଲିଂରେ ସୈନିକ ସ୍କୁଲ ନିକଟକୁ ଯାଇଥିଲେ। ସେଠାରେ ଥିବା ଏକ ପାନ ଦୋକାନୀକୁ ପାନ ଭାଙ୍ଗିବାକୁ କହିଥିଲେ। ଏହି ସମୟରେ ସେଠାରେ ୩ରୁ ୪ଜଣ ଯୁବକ ମଦ ପିଇ ଉପତ୍ାତ କରୁଥିଲେ। ରିଆଜୁଦ୍ଦିନଙ୍କୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ସେ ବିରୋଧ କରିଥିଲେ। ହେଲେ ସେମାନେ ରାଗି ଯାଇ ପୋଲିସ ବୋଲି କ’ଣ ଡରିଯିବୁ ବୋଲି କହି ଯୁକ୍ତିତର୍କ କରିଥିଲେ। ସେଥିରୁ ଜଣେ ଯୁବକ ଫୋନ କରି ଆହୁରି ୫ଜଣ ଯୁବକଙ୍କୁ ଡାକିଥିଲେ। ସେମାନେ ଆସିବା ପରେ ସମସ୍ତେ ଘେରି ରିଆଜୁଦ୍ଦିନଙ୍କୁ ବାଡ଼ି ଓ ପାଇପ୍‌ରେ ପିଟିବା ସହ ପଥର ଛେଚିଥିଲେ। ରିଆଜୁଦ୍ଦିନ ପାଟିକରିଥିଲେ କେହି ଅଟକାଇବାକୁ ଆସି ନ ଥିଲେ। ଶେଷରେ ସ୍ଥାନୀୟ ଲୋକେ ଥାନାକୁ ଫୋନ୍‌ କରିବା ପରେ ପିସିଆର କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଶହୀଦନଗର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ, ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ।
ଅନ୍ୟପକ୍ଷରେ ପୋଲିସକୁ ଆକ୍ରମଣ କରିବା କିଛି ନୂଆ କଥା ନୂହେଁ। ବର୍ଷେ ହେବ ଶହୀଦନଗର ଥାନାରେ ବାଣୀବିହାରର କେତେଜଣ ଯୁବକ ପଶି ଭଙ୍ଗାରୁଜା କରିବା ସହ ଏଏସ୍‌ଆଇ ଅଭୟ ରାଉତଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଥିଲେ।