କନ୍ୟାଶ୍ରମରେ ନିର୍ଯାତନା ଅଭିଯୋଗର ତଦନ୍ତ ଆରମ୍ଭ:ଦୁଇ ସ୍କୁଲରେ ୧୩ ଛାତ୍ରୀଙ୍କ ହେଲା ନାମଲେଖା

ଅନୁଗୋଳ ଅଫିସ, ୭।୧

ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଗୌରୀ ଶଙ୍କର ବେହେରା। ଦୁଇଜଣିଆ ଟିମ୍‌ ସହ ଡିସିପିଓ ବେହେରା ଉକ୍ତ କନ୍ୟାଶ୍ରମ ଛାଡ଼ିଥିବା ଅନ୍ତେବାସୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିସହ ଉକ୍ତ କନ୍ୟାଶ୍ରମ ଛାଡ଼ିଥିବା ମୋଟ୍‌ ୧୩ ଜଣ ଛାତ୍ରୀଙ୍କ ନାମ ୨ଟି ବିଦ୍ୟାଳୟରେ ଲେଖାଯାଇଥିବା ଡିସିପିଓ ବେହେରା ପ୍ରକାଶ କରିଛନ୍ତି।
ଡିସିପିଓ କହିଛନ୍ତି, କନ୍ୟାଶ୍ରମ ଛାଡ଼ିଥିବା ୧୩ ଜଣ ଅନ୍ତେବାସୀଙ୍କ ନାମ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳର ହତା ଶିମିଳିପଡ଼ା ୟୁପି ସ୍କୁଲ ଓ ସାନହୁଲା ଉଚ୍ଚ ବିଦ୍ୟାଳୟରେ ଲେଖାଯାଇଛି। ଛାତ୍ରୀମାନଙ୍କ ସ୍କୁଲ ଲିଭିଂ ପ୍ରମାଣପତ୍ର ନ ଥିବାରୁ ସେମାନଙ୍କ ବୟସ ପ୍ରମାଣପତ୍ର ପ୍ରଦାନ କରାଯାଇ ନାମ ଲେଖାଯାଇଛି। ସେମାନେ ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି କି ନାହିଁ, ତାହା ଅବଗତ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରୀମାନଙ୍କ ନାମ ନିକଟସ୍ଥ ବିଦ୍ୟାଳୟରେ ଲେଖାଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଙ୍କ ଅଭିଭାବକଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ କୁହାଯାଇଛି। ଉକ୍ତ ପ୍ରମାଣପତ୍ର ମିଳିବା ପରେ ଜିଲାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ନାମ ଲେଖାଯିବ ବୋଲି ଡିସିପିଓ ବେହେରା ସୂଚନା ଦେଇଛନ୍ତି।