Categories: ଫୁରସତ

କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ବେଦୀରୁ ଉଠି ଚାଲିଗଲେ ବର

ବେଙ୍ଗାଲୁରୁ : ବିବାହ ସମୟରେ କନ୍ୟାପକ୍ଷ ଯାନିଯୌତୁକ ଦେଇ ନ ପାରିଲେ ବେଦୀରୁ ବର ଉଠି ଚାଲିଯିବା ଖବର ଶୁଣିଥିବେ। ମାତ୍ର କନ୍ୟାଙ୍କ ଶାଢ଼ି ପସନ୍ଦ ହେଲା ନାହିଁ ବୋଲି ବର ଉଠି ଚାଲିଯିବା ଖବର ଶୁଣିଲେ ଯେତିକି ହାସ୍ୟାସ୍ପଦ ସେତିକି ଆଶ୍ଚର୍ଯ୍ୟ ମଧ୍ୟ। ମାତ୍ର ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ନାଟକର ହାସନ ଜିଲାରେ। ୨୯ ବର୍ଷୀୟ ବର ବିଏନ୍‌ ରଘୁକୁମାର କନ୍ୟାଙ୍କ ଶାଢ଼ି ପସନ୍ଦ ନ ଆସିବାରୁ ଉଠି ଚାଲିଯାଇଥିବା କହିଛନ୍ତି ହାସନ୍‌ର ଏସ୍‌ପି ଶ୍ରୀନିବାସ ଗୌଡ଼ା।

ସେ କହିଛନ୍ତି, ରଘୁକୁମାର ଏବଂ ସଂଗୀତା ନାମ୍ନୀ ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ପରିବାର ସହମତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାତ୍ର ସଂଗୀତା ବେଦୀରେ ପିନ୍ଧିଥିବା ଶାଢ଼ି ରଘୁକୁମାରଙ୍କ ମାତାପିତାଙ୍କ ପସନ୍ଦ ଆସି ନ ଥିଲା। ଶାଢ଼ି ଖରାପ ଦିଶୁଛି ବୋଲି କହିବା ସହ ଏହାକୁ ବଦଳାଇବାକୁ କହିଥିଲେ।

ଏହି ଛୋଟକଥାକୁ ନେଇ କଳିଝଗଡ଼ା ଆରମ୍ଭ ହେବା ସହ ସଂଗୀତାଙ୍କ ମାତାପିତା ଶାଢ଼ି ବଦଳାଇବାକୁ ରାଜି ହୋଇ ନ ଥିଲେ। ତେଣୁ ସେମାନେ ବିବାହ ବନ୍ଦ କରି ଦେଇଥିଲେ। ରଘୁକୁମାର ସେହିଦିନଠାରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି।

Share