Categories: କନ୍ଧମାଳ

କନ୍ଧମାଳ ଦଙ୍ଗା ମାମଲା :ଜଣେ ଅଭିଯୁକ୍ତଙ୍କୁ ୬ମାସ ଜେଲ

ଫୁଲବାଣୀ ଅଫିସ, ୧ା୧୦- କନ୍ଧମାଳ ଜିଲାରେ ୨୦୦୮ରେ ହୋଇଥିବା ଏକ ଦଙ୍ଗା ମାମଲାର ବିଚାର କରି ବାଲିଗୁଡ଼ା ଅତିରିକ୍ତ ଦୌରାଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ପ୍ରକାଶ ପ୍ରଧାନଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୦୮ ଅଗଷ୍ଟ ୩୦ ତାରିଖ ଅପରାହ୍ନରେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କଣ୍ଡାବାଡ଼ି ଗ୍ରାମରେ କେତେଜଣ ଦଙ୍ଗାକାରୀ ରାଜାବନ ପ୍ରଧାନ ଓ ଅନ୍ୟମାନଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିଥିଲେ ା ଏଥିରେ ରାଜାବନ ଓ ତାଙ୍କ ଭାଇ ଯାକବ ପ୍ରଧାନଙ୍କର ଘର କ୍ଷତିଗ୍ରସ୍ତ ହୋଇଥିଲା ା ଏ ନେଇ ରାଜାବନ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ ା ଘଟଣା ପରଠାରୁ ଅଭିଯୁକ୍ତ ପ୍ରକାଶ ପ୍ରଧାନ ଫେରାର୍‌ ହୋଇ ଯାଇଥିଲେ ା ତାଙ୍କ ନାମରେ ଥାନାରେ ନଂ.୬୦/୦୮ରେ ମାମଲା ଥିଲା। ଦୀର୍ଘବର୍ଷ ପରେ ୱାରେଣ୍ଟ ବଳରେ ପ୍ରକାଶଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଥିବା ସ୍ବତନ୍ତ୍ର ପିପି ବିଜୟ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି।