କନ୍ଧମାଳ ଜିଲା ଚିଠି: ତଦନ୍ତକୁ ନେଇ ସନ୍ଦେହ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କନ୍ଧମାଳ ଜିଲାରେ ୨୦୧୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଗତ ଜୁଲାଇ ମାସରୁ ଆରମ୍ଭ ହୋଇଛି। ସମସ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ) ସେମାନଙ୍କ ଅଞ୍ଚଳର ସ୍କୁଲରେ ନିଯୁକ୍ତ ଶିକ୍ଷକମାନଙ୍କ ଶିକ୍ଷାଗତ ଓ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ରିପୋର୍ଟ ଦେବେ। ସେପ୍ଟେମ୍ବର ୩୦ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ ଏହି ଅବଧିର ୨ମାସ ପୂରିବାକୁ ବସିଥିଲେ ମଧ୍ୟ ଜିଲାରେ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟ ସରିନାହିଁ। ଜିଲା ଅନ୍ତର୍ଗତ ୧୨ ବ୍ଲକର କେହି ବିଇଓ ଏହି ରିପୋର୍ଟ ଦାଖଲ କରିନାହାନ୍ତି। ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକମାନେ ଯାଞ୍ଚ ଅଧିକାରୀ ବିଇଓ, ସିଆର୍‌ସିସିଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲାରେ ବାହାର ଜିଲାରୁ ଆସି ମଧ୍ୟ ବହୁ ଶିକ୍ଷକ ଚାକିରି କରୁଛନ୍ତି। ଶିକ୍ଷା ସହାୟକ ନିଯୁକ୍ତି ସମୟରେ ଏହାକୁ ବିରୋଧ କରାଯାଇଥିଲା। କେବଳ ବାହାରୁ ଆସିଥିବା ଶିକ୍ଷକ ନୁହେଁ, ଜିଲାର କେତେଜଣ ଶିକ୍ଷକ ମଧ୍ୟ ଜାଲ୍‌ ସାର୍ଟିଫିକେଟ ଓ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ହାତେଇଛନ୍ତି। ପୂର୍ବରୁ ଜିଲାରେ ୫ ଶିକ୍ଷକ ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରି ଧରାପଡିଥିଲେ। ସେମାନଙ୍କ ମଧ୍ୟରେ ଥିବା ଜଣେ ସହକାରୀ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଅନ୍ୟ କନିଷ୍ଠ ଶିକ୍ଷକଙ୍କୁ ସେବା ନିବୃତ୍ତ(ଡିସ୍‌ଏନ୍‌ଗେଜ୍‌) କରାଯାଇଛି। ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ବିଭିନ୍ନ ବିଭାଗରେ ଚାକିରି କରୁଥିବା କର୍ମଚାରୀଙ୍କ ତଦନ୍ତ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ଆଡମିନିଷ୍ଟ୍ରେଟର କରୁଥିଲେ। ଏବେ ତାହାକୁ ଆର୍‌ଡିସି କରୁଛନ୍ତି। କିନ୍ତୁ ଶିକ୍ଷକଙ୍କ ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ରର ଯାଞ୍ଚ ଶିକ୍ଷା ବିଭାଗର ଅଧିକାରୀମାନେ କରୁଛନ୍ତି। ଗତ ୨୦ ତାରିଖରେ ଅନୁଷ୍ଠିତ କୁଇ ସମାଜ ସମନ୍ବୟ ସମିିତିର ପ୍ରତିଷ୍ଠା ଦିବସରେ ଜାଲ୍‌ ଶିକ୍ଷାଗତ ଏବଂ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କୁ ତୁରନ୍ତ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ସେହିପରି ଏବେ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରି ତଦନ୍ତ କରାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି। କାରଣ ଯାଞ୍ଚ ଅଧିକାରୀ ସେହି ବିଭାଗର ହୋଇଥିବାରୁ ତଦନ୍ତର ସ୍ବଚ୍ଛତାକୁ ନେଇ ସନ୍ଦେହ ଉପୁଜିବା ସ୍ବାଭାବିକ।
– ରାକେଶ କୁମାର ରାଉତ