Categories: ମେଟ୍ରୋ

କନ୍ଦରପୁର ଲେଭଲକ୍ରସିଂ ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ

କଟକସଦର, ୧୯।୭(ଡି.ଏନ୍‌.ଏ.)-କଟକ-ପାରାଦ୍ୱୀପ ରେଳପଥରେ ପ୍ରତି ୧୦ମିନିଟ୍‌ ଅନ୍ତରାଳରେ ମାଲ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଛି। ସେଥିପାଇଁ କଟକ-ଏରସମାନୂଆଗଁା ଏନ୍‌ଏଚ୍‌ ଜାତୀୟ ରାଜପଥ ନଂ ୫୫ରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। କନ୍ଦରପୁର ନିକଟରେ ଏନ୍‌ଏଚଟି କେଉଁସ୍ଥାନରେ ରେଳପଥକୁ ଅତିକ୍ରମ କରିବ ସେନେଇ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଫଳରେ କନ୍ଦରପୁର ଲେଭଲ କ୍ରସିଂ ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ଘଟୁଛି। ଏ କଥା ଚଳିତ ପାର୍ଲ୍ୟାମେଣ୍ଟ ଅଧିବେଶନରେ ଜଗତ୍‌ସିଂପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ଉଠାଇ ସାରିଛନ୍ତି। ତଥାପି ଏହା ଉପରେ ଚୂଡ଼ାନ୍ତ ନିର୍ଣ୍ଣୟରେ ବିଳମ୍ବ ଘଟୁଥିବାରୁ କଟକସଦର ଏବଂ ଜଗତ୍‌ସିଂପୁର ସଦର ମହକୁମା ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରଥମେ ଉକ୍ତ ରାସ୍ତାଟିର ନାମ ରାଜ୍ୟ ରାଜପଥ ନଂ୪୩ କନ୍ଦରପୁର-ମାଛଗଁା ଭାବେ ପରିଚିତ ଥିଲା। ତେଣୁ କନ୍ଦରପୁର ଲେଭଲ କ୍ରସିଂ ନିକଟରେ ଏକ ଓଭରବ୍ରିଜ୍‌ ନିର୍ମାଣ ପାଇଁ ରେଲଓ୍ବେ ଓ ପୂର୍ତ୍ତ ବିଭାଗ ମଧ୍ୟରେ ୨୦୧୪ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ହଠାତ୍‌ ଏହାକୁ କଟକ-ନୂଆଗଁା ଏନ୍‌ଏଚ୍‌ ୫୫ଭାବରେ ୨୦୧୬ରେ ଘୋଷଣା କରାଗଲା। ମୋଟ ୯୪କିମି ୧୩୯ମିଟର ମଧ୍ୟରୁ କଟକ ଜିଲାରେ ୧୫କିମି ୩୩୯ମିଟର ରହିଛି। ଜଗତ୍‌ସିଂହପୁର ଜିଲାରେ ଥିବା ୭୮କିମି ୮୦୦ମିଟର ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ମାତ୍ର କଟକ ଜିଲାର ଓଏମ୍‌ପି-କନ୍ଦରପୁର ମଧ୍ୟରେ କେମିତି ରାସ୍ତା ତିଆରି ହେବ ସେନେଇ କିଛି ସ୍ଥିର ହୋଇପାରୁନାହିଁ। ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା ଫଳରେ କନ୍ଦରପୁର ଓଭରବ୍ରିଜ୍‌ କାମ ଆରମ୍ଭ ହୋଇପାରୁନାହିଁ ବୋଲି କନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରମୋଦ ରାଉତ କହିଛନ୍ତି। ଓଏମ୍‌ପିରୁ ଫକୀରପଡ଼ା ମଧ୍ୟରେ ଜନବସତି ସହିତ ବଡ଼ବଡ଼ କୋଠା ରହିଛି। ଚାଉଳିଆଗଞ୍ଜ, ନୂଆବଜାର, ବିଦ୍ୟାଧରପୁର ଭଳି ସିଏମ୍‌ସି ଅଞ୍ଚଳମଧ୍ୟ ଏଥିରେ ସାମିଲ ରହିଛି। ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ ସମ୍ବନ୍ଧରେ କଟକସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗଯୋଗ କରାଯାଇଥିଲା। ମାତ୍ର ବିଳମ୍ବ ଖବର ପାର୍ଲ୍ୟାମେଣ୍ଟରେ ଆଲୋଚନା ହୋଇସାରିଥିବାରୁ ଏହା ଉପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଯାହାକିଛି ପଦକ୍ଷେପ ନେଇ ପାରିବେ ବୋଲି ପ୍ରାଧିକରଣର ଜଣେ ବରିଷ୍ଠ ଯନ୍ତ୍ରୀ ନିଜ ନାମ ଗୋପନ ରଖି କହିଛନ୍ତି।