କନ୍ଦରପୁର ବଜାର କମିଟି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

କଟକ ସଦର,୧୬।୫(ଡି.ଏନ୍‌.ଏ.): କମିଶନରେଟ ପୋଲିସ ବ୍ୟବସ୍ଥା ଅନ୍ତର୍ଗତ କନ୍ଦରପୁର ବଜାର କମିଟି ସଭାପତି ସ୍ମୃତି ରଞ୍ଜନ ପ୍ରଧାନ(୪୩)ଙ୍କୁ ମଙ୍ଗଳବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗୁରୁବାର ବଜାର କମିଟି ପକ୍ଷରୁ କନ୍ଦରପୁର ଥାନା ଘେରାଉ କରାଯାଇଛି। ପ୍ରାୟ ୧ ଘଣ୍ଟା ଧରି ଥାନାକୁ ଘେରାଉ କରାଯିବା ପରେ ଆନ୍ଦୋଳନକାରୀମାନେ ଥାନାଧିକାରୀ ସତ୍ୟଜିତ ଦାସଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୫ଜଣଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଦାସ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହତ ହୋଇଥିଲା। ବଜାର କମିଟିର ହୃଦାନନ୍ଦ ପ୍ରଧାନ, ଜଟାଧାରୀ ସାହୁ, କାଳନ୍ଦୀ ସ୍ବାଇଁ, ପ୍ରମୋଦ ରାଉତ, ଶିବ ପ୍ରସାଦ ମହାପାତ୍ର, ନିରଞ୍ଜନ ସାହୁ ପ୍ରମୁଖ ଘେରାଉର ନେତୃତ୍ୱ ନେଇଥିଲେ।

ସୂଚନାଯୋଗ୍ୟ, ଏକ ଫାଷ୍ଟ ଫୁଡ୍‌ ଦୋକାନରେ ବଚସାକୁ ନେଇ କମାପୁର ଗ୍ରାମର କିଛି ଯୁବକ ଅତର୍କିତ ଭାବେ ସଭାପତି ପ୍ରଧାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା। ଏ ନେଇ ୫୩/୧୯ରେ ମାମଲା ରୁଜୁ ହୋଇଛି। ଘଟଣାରେ ପୋଲିସ ପୂର୍ବରୁ ୩ ଅଭିଯୁକ୍ତ କମାପୁର ଗ୍ରାମର କାର୍ତ୍ତିକ ରାଉତ(୫୫), ଗାଲୁପାତ୍ର(୪୦), ବାବୁଲି ରାଉତ(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।