କଦଳୀ ଚାଷ ଦେଇଛି ପରିଚୟ

ଗୋବିନ୍ଦପାଲି, ୧୪।୩(ଡି.ଏନ୍‌.ଏ.)
ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଟାଣିଗୁଡାର ପାଲସୁ ପାଙ୍ଗିଙ୍କୁ ପରିଶ୍ରମ ଦେଇଛି ସଫଳତା। ଜଣେ ସଫଳ କଦଳୀ ଚାଷୀ ରୂପେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ପାଠ ପଢିବା ସହ କଠିନ ପରିଶ୍ରମ କରି ନିଜ ଚାଷଜମିରେ କରିଛନ୍ତି ଏହି ଚାଷ। ଯାହା ଅନ୍ୟମାନଙ୍କ ପାଇଁ ଏବେ ପାଲଟିଛି ଉଦାହରଣ। ମାଆବାପା ଭଉଣୀଭାଇଙ୍କୁ ନେଇ ତାଙ୍କ ପରିବାର। ତାଙ୍କ ଗ୍ରାମରେ ବସବାସ କରନ୍ତି ମାତ୍ର ୧୨ଟି ପରିବାର। ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର କି ବିଦ୍ୟାଳୟ କିଛି ନାହିଁ। ତେବେ ନିଜ ଅଧ୍ୟବସାୟ ଓ ଆଗ୍ରହ ଯୋଗୁ ବିଦ୍ୟାଳୟ ଅଧ୍ୟୟନ ସାରି ଏବେ ମାଥିଲି ଆଇଟିଆଇରେ ପାଠ ପଢୁଛନ୍ତି। ପଢାସହ ନିଜ ଘର ପଛ କିଆରିରେ କଦଳୀ ଚାଷ କରିଛନ୍ତି ପାଲସୁ। ସାଇକେଲରେ କଦଳୀ ବଜାରକୁ ନେଇ ବିକ୍ରି କରନ୍ତି। ଏଥିରୁ ସେ ନିଜର ପଢା ଖର୍ଚ୍ଚ ଉଠାଇବା ସହ ପରିବାର ଚଳାଇବାରେ ସହାୟତା କରିଥାନ୍ତି। ଆଜି ନିଜେ କଷ୍ଟ କରି ମୁଣ୍ଡର ଝାଳ ତୁଣ୍ଡରେ ମାରି ସେ ନିଜ ଗୋଡରେ ଛିଡା ହୋଇ ସମାଜରେ ଜଣେ ସଫଳ ଚାଷୀ ରୂପେ ପରିଗଣିତ ହୋଇପାରିଛନ୍ତି। ଏହି ଚାଷ ପାଇଁ ପାଲସୁ କୌଣସି ସରକାରୀ ସହାୟତା ପାଇନାହାନ୍ତି। ଏପରିକି ଉଦ୍ୟାନ ବିଭାଗର ପରାମର୍ଶ ମଧ୍ୟ ତାଙ୍କୁ ମିଳିପାରିନି। ତାଙ୍କ ଗ୍ରାମକୁ କେବେ ବିଭାଗୀୟ ଅଧିକାରୀ ଆସନ୍ତି ନାହିଁ। ଏନେଇ ଜିଲା ଉଦ୍ୟାନ କୃଷି ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଗ୍ରାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।