କଣ୍ଡରାପାଟ ପୀଠରେ ଛତରଯାତ୍ରା ବନ୍ଦ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ସହର ଉପକଣ୍ଠ ଝାଙ୍କରପାଲି କଣ୍ଡରାପାଟ ପୀଠରେ ହେବାକୁ ଥିବା ଛତରଯାତ୍ରା ତଥା ଅକ୍ଷୟତୃତୀୟା ପର୍ବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଫଳରେ କରେନା କଟକଣା ପ୍ରାୟ ୭ ଶହ ବର୍ଷର ପରମ୍ପରା ଭାଙ୍ଗି ଦେଇଛି। କେବଳ ପୂଜକଙ୍କ ଦ୍ୱାରା ପରମ୍ପରିକ ପୂଜା ଅନୁଷ୍ଠିତ ହେବ । ଛତରଯାତ୍ରାରେ ବିଭିନ୍ନ ଦେବୀପୀଠ ଓ ସହର ପରିକ୍ରମା, ବଳିକୁ ବନ୍ଦ ରଖାଯାଇଛି ା ଗ୍ରାମବାସୀ ଓ ଭକ୍ତଙ୍କ ସାଧାରଣ ଦର୍ଶନ,ବରୁଆଙ୍କ ଗ୍ରାମ ପରିକ୍ରମା ଉପରେ ରୋକ୍‌ ଲଗାଯାଇଛି । ଏହି ଅବସରରେ ଆୟୋଜିତ ହୋଇ ଆସୁଥିବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ମଧ୍ୟ ବନ୍ଦ ରଖାଯାଇଛି । ଆୟୋଜକ କମିଟି ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଅକ୍ଷୟତୃତୀୟାରେ କଣ୍ଡରାପାଟ ବାବା ଓ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ବୁଲାବାଉତି ରୂପରେ ବରୁଆ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ପରମ୍ପରା ଅନୁସାରେ ଜୁଗାର, ମହୁଲ ଫୁଲ, ଖଇ, ଗୁଡ, ଚାଉଳକୁ ମିଶ୍ରଣ କରି ଦେବୀଙ୍କୁ ଅର୍ପଣ କରାଯାଏ। ମାନସିକ କରିଥିବା ଭକ୍ତମାନେ ଛାଗ ବଳି ଦେଇଥାନ୍ତି । ପ୍ରାୟ ୧ମାସ ପୂର୍ବରୁ ଛତର ଯାତ୍ରା ଆରମ୍ଭ ହୋଇଥାଏ । ମା’ଙ୍କ ଛତରଯାତ୍ରାରେ ବରୁଆ ସହରର ବିଭିନ୍ନ ପୀଠ ପରିକ୍ରମା କରି ମୁଖ୍ୟ ପୀଠରେ ଅକ୍ଷୟତୃତୀୟ ଦିନରେ ପହଞ୍ଚି ଥାନ୍ତି । ଏ ସମ୍ପର୍କରେ ପୂଜକ କହିଛନ୍ତି, କରୋନା ପାଇଁ କେବଳ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ସାଧରଣ ଦର୍ଶନ ବନ୍ଦ ରହିବ । ବଳି ପ୍ରଥାକୁ ସ୍ଥଗିତ ରଖାଯାଇଛି।