କଣ୍ଟେନ୍‌ମେଣ୍ଟ ଜୋନ୍‌ ଲାଗି ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କରୋନା ମୁକାବିଲା ଲାଗି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହେଉଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ଭାବ୍ୟ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌କୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍‌ କରାଯାଇ ପ୍ରବେଶ ଏବଂ ପ୍ରସ୍ଥାନକୁ ନିଷିଦ୍ଧ କରାଯିବ। ତେବେ ଜୋନ୍‌ରେ ଏକାକୀ ରହୁଥିବା ମହିଳାଙ୍କ ଘର, ବୟସ୍କ ବ୍ୟକ୍ତି ତଥା ଗର୍ଭବତୀଙ୍କ ଗୃହ ଏବଂ ଗୁରୁତର ଆକ୍ରାନ୍ତ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଅଙ୍ଗନଓ୍ବାଡି, ଏଏନ୍‌ଏମ୍‌, ସ୍ବାସ୍ଥ୍ୟକର୍ମୀ ଓ ଶିକ୍ଷକଙ୍କ ଟିମ୍‌ କଣ୍ଟେନମେଣ୍ଟ ଜୋନ୍‌ରେ ଘରକୁ ବୁଲି ଲୋକମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବେ। ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କ ନମୁନା ସଂଗ୍ରହକରି ପରୀକ୍ଷା କରାଯିବ।
ଇତି ମଧ୍ୟରେ ରାଜ୍ୟ ସରକାର ଗତ ୨ ତାରିଖରେ ସୂର୍ଯ୍ୟନଗରକୁ ପ୍ରଥମ କରୋନା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଥିଲେ। ଏହାପରେ ୧୦ଟି ଜିଲାରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ସରିଛି। ତେବେ ଆଗକୁ ସ୍ବାସ୍ଥ୍ୟ ବିଭାଗର ବିନା ଅନୁମତିରେ କୌଣସି ଜିଲାପାଳ କିମ୍ବା ମହାନଗର ନିଗମ କମିଶନର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିପାରିବେ ନାହିଁ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ସେହିପରି ସ୍ଥାନୀୟ ସଂକ୍ରମଣକୁ ରୋକିବା ଲାଗି ଲକ୍ଷଣ ଦେଖାଯାଉ ନ ଥିବା ବ୍ୟକ୍ତିଙ୍କ ନମୁନା ମଧ୍ୟ ସଂଗ୍ରହ କରାଯିବ। ଜୋନ୍‌ ଅଞ୍ଚଳର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ହ୍ବାଟ୍ସଆପ୍‌ ଗ୍ରୁପ ଜରିଆରେ ଜୋନ୍‌ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇପାରିବ। ଦୁଇ ରାଉଣ୍ଡ ସର୍ଭେ ପରେ ଯଦି ନୂଆ ପଜିଟିଭ କେସ୍‌ ନ ବାହାରେ ତେବେ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯିବ। ଏନେଇ ପୋଲିସ ଡିଜି, ସବୁ ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବ, ପୋଲିସ କମିଶନର, ମ୍ୟୁନିସିପାଲ କମିଶନର ଏବଂ ପୌର ନିର୍ବାହୀ ଅଧିକାରୀ ଏବଂ ଜିଲାପାଳମାନଙ୍କୁ ଚିଠି ଲେଖି ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।