କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଅମାନିଆଙ୍କ ଉପରେ ନଜର ରଖିଛି ଡ୍ରୋନ୍‌ କ୍ୟାମେରା

ଭଦ୍ରକ ଅଫିସ,୨୯ା୪ : ଭଦ୍ରକ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ସୁଦ୍ଧା ଜିଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୧୯ ଛୁଇଁଛି। ସମୁଦାୟ ୨୧ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ ପଞ୍ଚାୟତ ଅଞ୍ଚଳରେ ଗତିବିଧି ଉପରେ ନଜର ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯାଇଛି। ଏଥିନେଇ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତରେ ଡ୍ରୋନ୍‌ ଉଡ଼ିଛି। ଏହି କ୍ୟାମେରା ଉକ୍ତ ଅଞ୍ଚଳରେ ଉଡ଼ି ଲକ୍‌ଡାଉନ୍‌ ସମୟରେ ଅମାନିଆଙ୍କ ଉପରେ ନଜର ରଖିଛି । ପ୍ରଶାସନିକ ଗତିବିଧି, ଲୋକଙ୍କ ହାବଭାବ, ପୋଲିସର କାର୍ଯ୍ୟକଳାପ ସମେତ ଗାଁଗୁଡ଼ିକରେ ସାମାଜିକ ଦୂରତ୍ୱ କିପରି ବଜାୟ ରଖାଯାଉଛି ଏ ସମସ୍ତ ବିଷୟ ଉପରେ ନଜର ରଖିଛି ଡ୍ରୋନ୍‌ । ଉପଜିଲାପାଳ ପୀତାମ୍ବର ସାମଲ, ଭଣ୍ଡାରିପୋଖରୀ ବିଡିଓ ଉମେଶ ମଲିକଙ୍କ ସମେତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲେଖ ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି। ପର୍ଯ୍ୟାୟ କ୍ରମେ ସମସ୍ତ ବ୍ଲକର କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳରେ ଏହି କାର୍ଯ୍ୟ କରାଯିବ।