କଣ୍ଟେନର ଅଟକାଇ ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଚମ୍ପୁଆ, ୧୮।୫(ଡି.ଏନ.ଏ.)-ଚମ୍ପୁଆ ସୀମାନ୍ତ ଦେଇ ଗତ ରବିବାର ରାତିରେ ଯାଉଥିବା ଏକ କଣ୍ଟେନରକୁ ଚମ୍ପୁଆ ପୋଲିସ ଅଟକାଇବା ସହିତ ସେଥିରେ ଥିବା ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ୭୨ ଶ୍ରମିକଙ୍କୁ ସ୍ଥାନୀୟ ମହତାବ ହାଇସ୍କୁଲରେ ରଖାଯାଇଛି। ସୂଚନା ଅନୁସାରେ ଚେନାଇରୁ ଉତ୍ତରପ୍ରଦେଶ ଯାଉଥିବା ଏକ କଣ୍ଟେନରକୁ ଚମ୍ପୁଆ ସୀମା ପାର ହେବା ସମୟରେ ଅଟକାଯାଇଥିଲା। ଏଥିରେ ଚେନ୍ନାଇରୁ ୭୨ ଜଣ ଶ୍ରମିକ ଥିବା ଜଣାପଡିଥିଲା। ଉକ୍ତ ଶ୍ରମିକମାନଙ୍କୁ ମହତାବ ଉଚ୍ଚ ବିଦ୍ୟାଳୟଠାରେ ରଖାଯାଇଥିଲା। ସୋମବାର ସକାଳୁ ଏହି ୭୨ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଚମ୍ପୁଆ ଏନଏସି ପକ୍ଷରୁ ଏହି ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ପାନୀୟ ଓ ରହିବାର ବ୍ୟବସ୍ଥା କରାଯାଇଥିଲା। ମଙ୍ଗଳବାର ଏହି ଶ୍ରମିକମାନଙ୍କୁ ଟ୍ରେନ ଯୋଗେ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଚମ୍ପୁଆରୁ ବସ୍‌ ଯୋଗେ ସମ୍ବଲପୁର ରେଳ ଷ୍ଟେସନରେ ଛଡାଯିବ ବୋଲି ଆଇଆଇସି ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।