କଣ୍ଟେନରରେ ତିଆରି ହୋଇଛି ଘର, ରହିଛି ସମସ୍ତ ପ୍ରକାର ସୁବିଧା

ସାଧାରଣତଃ ଇଟା, ଗୋଡ଼ି, ବାଲି, ସିମେଣ୍ଟରେ ଘର ତିଆରି ହୋଇଥାଏ। କିନ୍ତୁ ଜଣେ ବ୍ୟକ୍ତି ଲୁହା କଣ୍ଟେନରରେ ଘର ନିର୍ମାଣ କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏମିତି ଘର ତିଆରି କରିବାରେ ସଫଳ ହୋଇଛନ୍ତି ଟେକ୍‌ସାସ୍‌ ନିକଟସ୍ଥ ହ୍ୟୁସଟନ୍‌ ସହରରେ ରହୁଥିବା ଜଣେ ବ୍ୟକ୍ତି। ଶିପିଂ କଣ୍ଟେନର ସାହାଯ୍ୟରେ ସେ ନିଜର ସ୍ବପ୍ନର ଘର ତିଆରି କରିଛନ୍ତି। ବାହାରୁ ଘରଗୁଡ଼ିକ ଲୁହାର ବଡ଼ ବଡ଼ ବକ୍ସ ପରି ଦେଖାଯାଉଛି। କିନ୍ତୁ ଏହା ଭିତରେ ସମସ୍ତ ପ୍ରକାର ସୁବିଧା ରହିଛି। ରୋଷେଇ ଘର, ଶୋଇବା ଘର, ବାଥରୁମ୍‌, ଗେଷ୍ଟରୁମ୍‌ ଆଦି ରହିଛି। ଏହି ଘରର ମାଲିକଙ୍କ ନାଁ ବିଲ୍‌ ବ୍ରିୟକ୍ସ। ଏହି କଣ୍ଟେନର ସାହାଯ୍ୟରେ ସେ ୩ ମହଲା ବିଶିଷ୍ଟ ଘର ତିଆରି କରିଛନ୍ତି। ୨୫୦୦ ସ୍କୋୟାର ଫୁଟ୍‌ରେ ନିର୍ମାଣ ହୋଇଥିବା ଏହି ଘର ନିଆଁ, ପାଣି, ପବନରେ କିଛି ବି କ୍ଷତିଗ୍ରସ୍ତ ହେବ ନାହିଁ।

ଏକ ରିପୋର୍ଟ ଅନୁଯାୟୀ, ବିଲ୍‌ ୨୦୦୦ ମସିହାରେ ଏପରି ଭିନ୍ନ ଧରଣର ଘର ତିଆରି ପାଇଁ ମନସ୍ଥ କରିଥିଲେ। ତେଣୁ ଡିଜାଇନର ଖୋଜିବାରେ ଲାଗିପଡ଼ିଲେ। କେହି ନ ମିଳିବାରୁ ନିଜେ ୨୦୧୧ ମସିହାରେ ୩-ଡି ସ୍କେଚ୍‌ ଆଙ୍କିଲେ। ପରେ ଶିପିଂ କଣ୍ଟେନର ଆଣି ଘର ତିଆରି କଲେ।

Share