Categories: ରାଜ୍ୟ

କଣ୍ଟିଲୋ: ପରିବେଶକୁ ଅଧିକ ଉତ୍ତପ୍ତ କରୁଛି ଇଟାଭାଟି, ଜନଜୀବନ ଅସ୍ତବ୍ୟସ୍ତ

ଖଣ୍ଡପଡ଼ା,୨୬ା୫(ସ୍ବ.ପ୍ର.)-ସମ୍ପ୍ରତି ଟାଣ ଖରା ସମୟରେ ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ଅଞ୍ଚଳରେ ଇଟାଭାଟି ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଭାଟିରୁ ନିର୍ଗତ ଧୂଆଁ ପରିବେଶକୁ ଅଧିକ ଉତ୍ତପ୍ତ କରୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିର୍ମାଣ ଆବଶ୍ୟକତା ମେଣ୍ଟାଇବା ପାଇଁ ବ୍ୟବସାୟିକ ଭିତ୍ତିରେ ଇଟାଭାଟି ସଂଖ୍ୟା ବଢିଚାଲିଛି। କଣ୍ଟିଲୋ ଓ ଖଣ୍ଡପଡା ନିକଟ ନଦୀ ତଟବର୍ତ୍ତୀ ତଥା ମୁଖ୍ୟ ରାସ୍ତା କଡ ଜମିଗୁଡିକରେ ବ୍ୟବସାୟ ଲକ୍ଷ୍ୟରେ ଭାଟି ପ୍ରତିଷ୍ଠା କରାଯାଇ ଇଟା ପ୍ରସ୍ତୁତ କରାଯାଉଛି ା ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷଜମି ପରିମାଣ ହ୍ରାସ ପାଇବା ସହ ଆଖପାଖ ଅଞ୍ଚଳର ବୃକ୍ଷ ସମ୍ପଦର ଦ୍ରୁତ ଅବକ୍ଷୟ ହୋଇ ସବୁଜିମା ଉଭେଇ ଯାଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଇଟା ପ୍ରସ୍ତୁତ ଓ ଭାଟି ନିର୍ମାଣ ପାଇଁ ଚାଷ ଜମିର ଉପରସ୍ତର ମାଟି ଉଠାଇ ଦିଆଯାଉଥିବାରୁ ମୃତ୍ତିକା କ୍ଷୟ ବୃଦ୍ଧି ପାଉଛି । ଫଳରେ ନଦୀ କୂଳବର୍ତ୍ତୀ ନଦୀବନ୍ଧଗୁଡିକ ଦୁର୍ବଳ ହୋଇପଡୁଛି । ଯେ କୌଣସି ସମୟରେ ନଦୀ ବଢିରେ ନଦୀ ଶଯ୍ୟା ପରିବର୍ତ୍ତନ ଘଟିବାର ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରୁଛନ୍ତି । ଏହି ଇଟାଭାଟି ଯୋଗୁ ଶହ ଶହ ଏକର ଚାଷ ଉପଯୋଗୀ ଜମି ବିଗତ ବର୍ଷରେ ଅଣଚାଷ ଜମିରେ ପରିଣତ ହୋଇଥିବା ଜଣାପଡିଛି। ଅପରପକ୍ଷେ ଖଣ୍ଡପଡାଠାରୁ ନୟାଗଡ ଯିବା ରାସ୍ତା କଡରେ ଥିବା ଇଟା ଭାଟିଗୁଡିକରୁ ନିର୍ଗତ ତତଲା ଧୂଆଁ ପରିବେଶକୁ ଅଧିକ ଉତ୍ତପ୍ତ କରୁଛି। ଏଥିଯୋଗୁ ପଥଚାରୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି।