କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ ବ୍ୟାପକ ଲାଞ୍ଚ କାରବାର, ଦୁର୍ନୀତି ଅଭିଯୋଗ: ଓକିଲ ସଂଘର ଧାରଣା

କଣ୍ଟାବାଞ୍ଜି,୬।୮(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ତହସିଲ ଓ ସବ୍‌ ରେଜିଷ୍ଟ୍ରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ନେଇ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ମଙ୍ଗଲବାର ଦୁଇ ଅଫିସ ମୁଖ୍ୟ ଦ୍ୱାରରେ ତାଲା ପକାଯାଇଛି। ଫଳରେ ଉଭୟ କାର୍ଯ୍ୟାଳୟ ଅଚଳ ହୋଇପଡିଛି । ତହସିଲ ଅଫିସରେ କିରାଣିମାନେ ବିନା ଲାଞ୍ଚରେ ଅଫିସ କାର୍ଯ୍ୟ ତୁଲାଉ ନ ଥିବା ବେଳେ ଜମି ମ୍ୟୁଟେଶନରେ ମୋଟା ରକମର ଟଙ୍କା ଦାବି କରୁଛନ୍ତି । କାର୍ଯ୍ୟରତ କର୍ମଚାରୀମାନେ ହେଡ୍‌କ୍ୱାର୍ଟରରେ ନ ରହି ପାଟଣାଗଡ,ଟିଟିଲାଗଡ ଓ ବଲାଙ୍ଗିରରୁ ଯିବା ଆସିବା କରୁଥୁବାରୁ ନିୟମିତ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।ସେହିପରି ସବ୍‌ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ମଧ୍ୟ ଦୁର୍ନୀତି ବଢି ବଢ଼ି ଚାଲିଛି । ସରକାରୀ ପିସି ବାବଦକୁ ୭ ପ୍ରତିଶତ ପ୍ରତ୍ୟେକ ରେଜିଷ୍ଟ୍ରୀରେ ନେଉଥିବା ବେଳେ ଉପରି ୩ ପ୍ରତିଶତ ନିଆଯାଉଛି । ଅଫିସରେ ମଙ୍ଗଳବାର ଓ ଶୁକ୍ରବାର ଦୁଇଦିନ ଜମି ରେଜିଷ୍ଟ୍ରୀ ହେବାର ନିୟମକୁ ଦୈନିକ କରିବା ପାଇଁ ଦାବି କରାଯାଇଛି । ଏପରିକି ସବ୍‌ରେଜେଷ୍ଟ୍ରୀ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଭାବେ ଏକ ସବ୍‌ ରେଜେଷ୍ଟ୍ରୀ ଅଫିସର ନିଯୁକ୍ତି ଦାବି କରାଯାଇଛି। ଏ ବାବଦରେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବାର ଏକ ମାସ ବିତି ଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏ ନେଇ ବଲାଙ୍ଗୀର ଅତିରିକ୍ତ ଜଲାପାଳ, ଟିଟିଲାଗଡ ଉପଜିଲାପାଳ, କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର,ଏସ୍‌.ଡି.ପି.ଓ. ସରୋଜ କୁମାର ମହାପାତ୍ର, ଥାନା ଆଇ.ଆଇ.ସି. ବିଜୟାନନ୍ଦ କରକରା ସହ ପୋଲିସ ବିଭାଗ ଧାରଣାସ୍ଥଳରେ ଥାଇ ଓକିଲ ସଂଘର ପ୍ରତିନିଧିମାନଙ୍କୁ ବୁଝାସୁଝା କରିଛନ୍ତି । ଦିନ ୨ ଟା ସୁଦ୍ଧା କୌଣସି ସମାଧାନ ନ ବାହାରିବାରୁ ଓକିଲମାନେ ତାଲା ଲଗାଇ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।