କଣ୍ଟାକ୍ଟ ଟ୍ରେସିଂ ପାଇଁ ଘାଣ୍ଟି ହେଉଛି ପ୍ରଶାସନ

ପୁରୀ ଅଫିସ,୧୯ା୫: ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପୋଲିସ ଏବଂ ପ୍ରଶାସନର ଚିନ୍ତା ବଢିଯାଇଛି। ଚିହ୍ନଟ ପୂର୍ବରୁ ଅଭିଯୁକ୍ତ ଜଣକ ଥାନା, ଡାକ୍ତରଖାନା, କୋର୍ଟ, ଜେଲ୍‌ ସମେତ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା କୁହାଯାଉ ଥିବାରୁ କଣ୍ଟାକ୍ଟ ଟ୍ରେସିଂ ଲାଗି ପ୍ରଶାସନ ଘାଣ୍ଟି ହେଉଛି। ଅନ୍ୟପକ୍ଷରେ କୁମ୍ଭାରପଡ଼ା ଥାନା, ଜିଲା ମୁଖ୍ୟ ଚିକିତ୍ସାଳୟର ପାଥୋଲାବ, ଏସ୍‌ଡିଜେଏମ୍‌ଙ୍କ କୋର୍ଟ ସମେତ ପୁରୀ ଜିଲା କାରାଗାରକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରାଯାଇଛି। ଥାନା ଏବଂ ଜେଲ୍‌ କର୍ମଚାରୀ (ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି)ଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କ ଘର ନରେନ୍ଦ୍ରକୋଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ବଡଦାଣ୍ଡର ମାର୍କେଟ ଛକଠାରୁ ଅକ୍ଷୟ ପାତ୍ର ଲେନ୍‌, ଭାୟା ନରେନ୍ଦ୍ରକୋଣ ଲେନ୍‌, ନରେନ୍ଦ୍ରକୋଣ ଛକ, ବ୍ରହ୍ମ ଜାଗା ମହାବୀର ଛକ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଛି। ଏହି ଆବଦ୍ଧ ଅଞ୍ଚଳ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଏହି ଅଞ୍ଚଳରୁ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ସୋମବାର ସକାଳଠାରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ପୌର ପ୍ରଶାସନ ପକ୍ଷରୁ ଉକ୍ତ କଣ୍ଟେନମେଣ୍ଟ ଜୋନ୍‌ରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ଆଦି ଯୋଗାଇ ଦିଆଯିବ।
ଏକ ଡକାୟତି ଘଟଣାରେ କୁମ୍ଭାରପଡ଼ା ଥାନା ପୋଲିସ ୪ଦିନ ତଳେ ୩ଜଣ ଅଭିଯୁକ୍ତଙ୍କୁ ଧରିଥିଲା। ଥାନାରେ ସେମାନଙ୍କୁ କେତେକ ପୋଲିସ କର୍ମଚାରୀ ପଚରାଉଚରା କରିଥିଲେ। ମାମଲା ରୁଜୁ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ତେବେ କୋଭିଡ-୧୯ ନିୟମାନୁଯାୟୀ କୋର୍ଟଚାଲାଣ ପୂର୍ବରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପାଥୋଲାବକୁ ନିଆଯାଇ ସେମାନଙ୍କର ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିଲା। ଏହାପରେ ସମସ୍ତଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜିଲା କାରଗାରକୁ ପଠାଯାଇଥିଲା। ରବିବାର ଏମାନଙ୍କର ରିପୋର୍ଟ ଆସିଥିଲା। ୨ଜଣଙ୍କ ରିପୋର୍ଟ ନେଗେଟିଭ ଥିବାବେଳେ ଜଣଙ୍କର ପଜିଟିଭ ବାହାରିଛି। ଅଭିଯୁକ୍ତ କିପରି ସଂକ୍ରମଣ ହେଲେ ତାହା ଏବେ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ସେହିପରି ଥାନା, ପାଥୋଲାବ, କୋର୍ଟ, ଜେଲ୍‌ ପରିସରରେ ତାଙ୍କ ସଂସ୍ପର୍ଶରେ ଏକାଧିକ ବ୍ୟକ୍ତି ଆସିଥିବାରୁ ସମସ୍ତେ ଏବେ ଚିନ୍ତାରେ ପଡ଼ିଛନ୍ତି।
ରବିବାର ସନ୍ଧ୍ୟାରୁ କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀମାନେ କ୍ବାରାଣ୍ଟାଇନରେ ରହିଛନ୍ତି। ସୋମବାର ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ସେହିପରି ଜିଲା କାରଗାରର ୫ କର୍ମଚାରୀଙ୍କର ସ୍ବାବ୍‌ ସଂଗ୍ରହ ହୋଇଛି। ଜେଲ୍‌ରେ ସମ୍ପୃକ୍ତ ଅଭିଯୁକ୍ତ ଯେଉଁ ଅନ୍ୟ ବିଚାରାଧୀନ କଏଦୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କର ମଧ୍ୟ ସ୍ବାବ୍‌ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି। କୋର୍ଟରେ ସେ ହାଜର ବେଳେ କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ସମ୍ପୃକ୍ତ ଅଭିଯୁକ୍ତ କେଉଁଠୁ ସଂକ୍ରମିତ ହେଲେ ତାହା ଜାଣିବା ପାଇଁ ଚେଷ୍ଟା ଚାଲିଛି।