କଟକ ପୋଲିସକୁ ଘାରିଲା କରୋନା ଭୟ

କଟକ ଅଫିସ୍‌,୨୧।୫: ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସର ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଉଭୟ ଭୁବନେଶ୍ୱର ଓ କଟକ ସହରରେ ପୋଲିସ କର୍ମଚାରୀ, ଅଧିକାରୀଙ୍କ ନମୁନା ପରୀକ୍ଷା କରାଯାଉଛି। କଟକ ସହରରେ ଥିବା ଥାନା କର୍ମଚାରୀଙ୍କ ନିୟମିତ ସ୍କ୍ରିନିଂ ଚାଲିଛି। ଏକ ଘରୋଇ ହସ୍ପିଟାଲ୍‌ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଯେଉଁମାନଙ୍କ ପାଖରେ ଛିଙ୍କ, ଥଣ୍ଡା, ଜ୍ଜର ଭଳି ଲକ୍ଷଣ ଦେଖାଦେଉଛି, ସେମାନଙ୍କର ସ୍ବାବ୍‌ ପରୀକ୍ଷା ହେଉଛି। ମଙ୍ଗଳବାର କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଥାନା ସହ ଅନ୍ୟ କେତେକ ଥାନାକୁ ମିଶାଇ ଏଯାବତ୍‌ ମୋଟ ୬୬ ଜଣ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିବା ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। କଟକ ଡିସିପି ଅଖିଳେଶ୍ୱର ସିଂଙ୍କ କହିବାନୁଯାୟୀ, କାର୍ଯ୍ୟ ସମୟରେ ସୁରକ୍ଷିତ ଓ ସଚେତନ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଆମ ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ରକ୍ଷା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଲକ୍ଷଣ ଥିଲେ କରୋନା ପରୀକ୍ଷା ହେଉଛି। ବୟସ୍କଙ୍କ କାର୍ଯ୍ୟକୁ ସୀମିତ ରଖାଯାଇଛି।