କଟକ ଦେବୀଗଡ଼ା ଲୋକାରଣ୍ୟ

କଟକ ଅଫିସ,୧୦ା୧୦: ଶାନ୍ତିଶୃଙ୍ଖଳାରେ ସରିଛି ଦୁର୍ଗାପୂଜା। ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଭସାଣି ମାଧ୍ୟମରେ ମେଲାଣି ନେଇଛନ୍ତି। ଦେବୀଗଡ଼ା ନିକଟରେ ହୋଇଥିବା ତିନୋଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତିଗୁଡ଼ିକ ବିସର୍ଜନ କରାଯାଇଛି। ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ବହୁସଂଖ୍ୟାରେ ଜନସମାଗମ ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭସାଣି ପାଇଁ ସହରର ଅନେକ ରାସ୍ତା ୱାନ ୱେ ଟ୍ରାଫିକ ମଧ୍ୟରେ ରହିଛି। ବିଳମ୍ବିତ ରାତି ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ମେଢ଼ ବିସର୍ଜନ ହୋଇଥିବା ଜଣାପଡ଼ିଛି। ଚଳିତବର୍ଷ ସହରରେ ମୋଟ୍‌ ୧୬୭ ମେଢ଼ ହୋଇଥିବା ବେଳେ ଏଥିରେ ଚାନ୍ଦିମେଢ଼ ସଂଖ୍ୟା ରହିଛି ୨୭। ମଙ୍ଗଳବାର ମଧ୍ୟ ରାତ୍ରିରୁ ଭସାଣି ନିମନ୍ତେ ସହରର ପ୍ରାୟ କମିଟି କର୍ମକର୍ତ୍ତା ପ୍ରସ୍ତୁତି ଆରମ୍ଭ କରି ସାରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ରୁଟ୍‌ ମ୍ୟାପ ଅନୁଯାୟୀ ସକାଳେ ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ଯାଇଥିଲା। ଦେବୀଗଡ଼ା ନିକଟରେ ୩-୧ ନିୟମ ବଳରେ ମେଢ ବିସର୍ଜନ କରାଯାଉଛି। ଯେଉଁ ରାସ୍ତା ଦେଇ ଅଧିକ ମେଢ଼ ଆସୁଛି ସେ ରାସ୍ତାରୁ ୩ଟି ମେଢ଼କୁ ଦେବୀଗଡ଼ା ଦିଗକୁ ଛଡ଼ାଯାଉଥିବାବେଳେ ଅନ୍ୟ ପାର୍ଶ୍ୱରୁ ଗୋଟିଏ ମେଢ଼ ଦେବୀଗଡ଼ା ଆଡକୁ ଆସୁଛି। ଚାନ୍ଦିମେଢ଼ ନିକଟରେ ପୋଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେତେକ ସ୍ଥାନରେ ମୁରବିଙ୍କ ବିୟୋଗ ଯୋଗୁଁ ଭସାଣି ଯାତ୍ରା ନିରାଡମ୍ବର କରାଯାଇଛି।