କଟକରେ ସର୍ବାଧିକ ଭିକାରି, ଦେବଗଡ଼ ଜିଲାରେ ୩ଜଣ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟରେ ୫,୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୧,୦୬୦ଜଣ ଭିକାରି ଅଛନ୍ତି। ସେହିପରି ଗଞ୍ଜାମରେ ୫୪୫, ପୁରୀ ୩୬୬, ମୟୂରଭଞ୍ଜ ୪୮୫, ସମ୍ବଲପୁର ୩୦୩, ସୁନ୍ଦରଗଡ଼ ୪୨୩, ଅନୁଗୋଳ ୨୦୫, ବାଲେଶ୍ୱର ୧୩୧, ଭଦ୍ରକ ୧୨୮, ବଲାଙ୍ଗୀର ୩୪୪, ଢେଙ୍କାନାଳ ୧୩୨, କେନ୍ଦୁଝର ୧୮୯, ଖୋର୍ଦ୍ଧା ୧୯୭, କୋରାପୁଟ ୨୪୯, ନବରଙ୍ଗପୁର ୧୮୩, ରାୟଗଡ଼ା ୧୭୬ ଏବଂ ସୋନପୁରରେ ସର୍ବାଧିକ ୨୮୩ଜଣ ଭିକାରି ରହିଛନ୍ତି। ଶନିବାର ବିଧାନସଭାରେ ବିଜେଡି ସଭ୍ୟ ସୌଭିକ ବିଶ୍ୱାଳଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନାନୁଯାୟୀ ଦେବଗଡ଼ ଜିଲାରେ ସର୍ବନିମ୍ନ ୩ଜଣ ଭିକାରି ଥିବା ବେଳେ ବୌଦ୍ଧରେ ୬, ଗଜପତି ୫୮, ଜଗତ୍‌ସିଂହପୁର ୬୧, ଯାଜପୁର ୬୯, ଝାରସୁଗୁଡ଼ା ୩୮, କଳାହାଣ୍ଡି ୭୪, କନ୍ଧମାଳ ୭୩, କେନ୍ଦ୍ରାପଡ଼ା ୨୨, ମାଲକାନଗରି ୨୮, ନୟାଗଡ଼ ୬୫ ଏବଂ ନୂଆପଡ଼ାରେ ସର୍ବନିମ୍ନ ୩୧ଜଣ ଭିକାରି ଅଛନ୍ତି। ଭିକାରିଙ୍କ ପୁନର୍ବାସ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାର ‘ସହାୟ’ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ପୁରୀ ଜିଲାରେ ଭିକ୍ଷୁକଙ୍କ ପାଇଁ ୫ଟି ପୁନର୍ବାସ ଗୃହ ପ୍ରତିଷ୍ଠା କରାଯାଇଥିବା ବେଳେ ଭୁବନେଶ୍ୱରଠାରେ ମଧ୍ୟ ଏଭଳି ପୁନର୍ବାସ ଗୃହ ସ୍ଥାପନ କରାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି।