Categories: ଜାତୀୟ

କଚୋଡି ବିକ୍ରି କରୁଥିବା ବ୍ୟକ୍ତିଙ୍କ ବର୍ଷକୁ ଆୟ ୬୦ ଲକ୍ଷ

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶର ଅଲିଗଡ଼ ସହରର ସୀମା ଟକିଜ୍‌ ନିକଟରେ ଥିବା ଏକ ଜଳଖିଆ ଦୋକାନୀଙ୍କ ବର୍ଷକୁ ଆୟ ୬୦ ଲକ୍ଷ ଟଙ୍କା। ଗତ ୧୦ ବର୍ଷରୁ ଦୋକାନୀ ମୁକେଶ କଚୋଡି ଓ ସିଙ୍ଗଡା ବିକ୍ରି କରିଆସୁଛନ୍ତି। ଏଥିରେ ତାଙ୍କର ବର୍ଷକୁ ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆୟ ହେଉଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଜୁନ ୨୧ରେ ଷ୍ଟେଟ ଇଣ୍ଟଲିଜେନ୍ସ ବ୍ୟୁରୋ (ଏସ୍‌ଆଇବି) ଓ ସେଲ୍ସ ଟ୍ୟାକ୍ସ ଡିପାର୍ଟମେଣ୍ଟ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଥିଲା ତାକୁ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହି ଚଢ଼ାଉ ସମୟରେ ମୁକେଶ ଏସ୍‌ଆଇବି ଅଧିକାରୀଙ୍କୁ ନିଜ ଗ୍ରାହକ ଓ ଦୋକାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେବା ସହ ନିଜ ଆୟ ନେଇ ସ୍ବୀକାର ମଧ୍ୟ କରିଥିଲେ। ତେବେ ଜଣେ ବ୍ୟକ୍ତିିଙ୍କ ଆୟ ବର୍ଷକୁ ୪୦ଲକ୍ଷରୁ ଊର୍ଦ୍ଧ୍ୱ ହେଲେ ଜିଏସ୍‌ଟିରେ ପଞ୍ଜୀକୃତ କରିବା ବାଧ୍ୟତାମଳକ। ହେଲେ ମୁକେଶଙ୍କ ଆୟ ବର୍ଷକୁ ୬୦ଲକ୍ଷ ହୋଇଥିବା ବେଳେ ବହୁ ଶୀଘ୍ର ତାଙ୍କର ଆୟ ୧କୋଟି ପହଞ୍ଚିବାର ସମ୍ଭାବନା ରହିଛି। କିନ୍ତୁ ସେ ଏବେ ପର୍ଯ୍ୟନ୍ତ ଜିଏସ୍‌ଟି ପଞ୍ଜୀକୃତ କରିନାହାନ୍ତି। ଫଳରେ ଏସ୍‌ଆଇବି ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ଏକ ସପ୍ତାହ ଧରି ଜାରି ରହିବ। ଅପରପକ୍ଷରେ ଦୋକାନୀ ମୁକେଶଙ୍କୁ ନୋଟିସ ଜାରି କରାଯିବା ସହ ମାମଲା ତଦନ୍ତ ଜାରି ରହିଛି ବୋଲି ଏସ୍‌ଆଇବିର ଡେପୁଟି କମିଶନର ସୂଚନା ଦେଇଛନ୍ତି।

Share