କଖାରୁ ଲଟାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ବଗିଚାର କଖାରୁ ଲଟା ମଧ୍ୟରୁ ରବିବାର ସକାଳୁ ଏକ ନବଜାତ ଶିଶୁପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ, ସକାଳୁ ଉକ୍ତ ଗ୍ରାମର ମଧୁ ମହାକୁଡ଼ ଘର ସମ୍ମୁଖ ବଗିଚାକୁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ପରେ ଗ୍ରାମର ସାମାଜିକ କର୍ମୀ କୁଳମଣି ମହାନ୍ତ, ସୁବାସ ବାଘୁଆ ଓ ରାଜୁ ମହାକୁଡ଼ଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ଆଶାକର୍ମୀ ବଉଳ ମହାନ୍ତଙ୍କୁ ହସ୍ତାନ୍ତର କରାଯାଇଥିଲା। ଶିଶୁପୁତ୍ର ସୁସ୍ଥ ଥିବା ଆଶାକର୍ମୀ କହିଛନ୍ତି। ପରେ ଶିଶୁଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ତେବେ ଶିଶୁପୁତ୍ରଟିକୁ କିଏ ଓ କାହିଁକି ଏପରି ଅବସ୍ଥାରେ ଫିଙ୍ଗିଦେଇଛି ତାହା ସ୍ପଷ୍ଟ ହୋଇ ନାହିଁ ।