Categories: ଜାତୀୟ

କଂଗ୍ରେସ ସହ ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ କୁମାରସ୍ବାମୀ: କହିଲେ, ‘ପ୍ରତିଟି ମୁହୂର୍ତ୍ତ ଯନ୍ତ୍ରଣାରେ ବିତୁଛି’

ବେଙ୍ଗାଲୁର,୧୯।୬: କର୍ନାଟକରେ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ଲାଗି ରହିଥିବା ବିବାଦ ବୁଧବାର ପୁଣି ଥରେ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୋର ପ୍ରତିଟି ମୁହୂର୍ତ୍ତ ଯନ୍ତ୍ରଣାରେ ବିତୁଛି। ମୋର ଏହି କଷ୍ଟ ସର୍ବସମ୍ମୁଖରେ କହିବାକୁ ଇଚ୍ଛା ପ୍ରକାଶ କଲେ ମଧ୍ୟ ମୁଁ ବ୍ୟକ୍ତ କରିପାରିବ ନାହିଁ।’ ତେବେ ସୁଚାରୁ ରୂପେ ସରକାର ଚଳାଇବା ପାଇଁ ତାଙ୍କ ଉପରେ ଦାୟିତ୍ୱ ରହିଥିବା ବେଳେ ଜନସାଧାରଣଙ୍କ ସମସ୍ତ ଆଶା ପୂରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ମରୁଡ଼ି ସ୍ଥିତିକୁ ନେଇ ଆନ୍ଦୋଳନ ଓ ପ୍ରଦର୍ଶନ ବନ୍ଦ କରି ବିଧାନସଭାରେ ଆଲୋଚନା କରିବାକୁ ଭାଜପାକୁ କୁମାରସ୍ବାମୀ ପ୍ରସ୍ତାବ ଦେଇଛନ୍ତି। ଜିନ୍ଦଲ ଷ୍ଟିଲ ନିମନ୍ତେ ଜମି ଅଧିଗ୍ରହଣ ଚୁକ୍ତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଜିନ୍ଦଲ କମ୍ପାନୀଠାରୁ ୨୦ କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ କୁମାରସ୍ବାମୀଙ୍କ ଏହି ବୟାନ ପରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରମେୟା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କର୍ନାଟକ ସରକାରରେ କୌଣସି ବିପଦ ନାହିଁ। ଏଠାରେ ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ଭାଜପା ଚେଷ୍ଟା କରୁଛି। ହେଲେ ଭାଜପାର ଏହି ଚେଷ୍ଟା ବିଫଳ ହେବ ବୋଲି ସେ କହିଛନ୍ତି।

Share