Categories: ମେଟ୍ରୋ

କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣା: ତଦନ୍ତ ନିଶ୍ଚିତ ହେବ ବୋଲି କହିଲେ ପ୍ରଦୀପ

ଭୁବନେଶ୍ୱର,୨୦।୧(ବ୍ୟୁରୋ): କଂଗ୍ରେସରେ ସଭାପତି ପଦରେ ପରିବର୍ତ୍ତନକୁ ନେଇ ବାଦ ବିବାଦ ଲାଗି ରହିଛି। ଏହାସହ ଛାତ୍ର, ଯୁବ ସଭାପତି ପଦକୁ ନେଇ ମଧ୍ୟ ସମାନସ୍ଥିତି ରହିଛି। ଏଭଳି ବିବାଦ ଚାଲିଥିବା ବେଳେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଗତ ଶୁକ୍ରବାର ବାଉନ୍ସର ପ୍ରବେଶ ଘଟଣା ଆଉ ନୂଆ ସମସ୍ୟା ଆଣିଛି। କିଏ ବାଉନ୍ସରଙ୍କୁ ଡକାଇଥିଲା ତାକୁ ନେଇ ଝଡ଼ ସୃଷ୍ଟି ହୋଇଥିବାବେଳେ ଏହାର ତଦନ୍ତ ହେବା ନିତାନ୍ତ ଆବଶ୍ୟକ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି। ପ୍ରଦୀପ କହିଛନ୍ତି ଯେ, ଏହି ଘଟଣାକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ତେଣୁ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ଏବଂ ହେବ ମଧ୍ୟ। ଆସନ୍ତା ୨ରୁ ୩ଦିନ ମଧ୍ୟରେ ପିସିସି ସଭାପତିଙ୍କ ସହ ଏକ ବୈଠକ ଅଛି ଏହି ସମୟରେ ଉକ୍ତ ଘଟଣା ବିଷୟରେ ଉଠାଯିବ ବୋଲି ସେ କହିଛନ୍ତି। ସେହିପରି ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଯଦି ପିସିସି ଅଫିସକୁ ବାଉନ୍ସର ଡକାଯାଇଥିବା ଅଭିଯୋଗ ଉଠିଛି ତେବେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର। ଏ ଘଟଣାକୁ କୌଣସି କଂଗ୍ରେସ ଲୋକ ଗ୍ରହଣ କରିବେନାହିଁ ବୋଲି ଶରତ କହିଛନ୍ତି।