Categories: ଜାତୀୟ

କଂଗ୍ରେସ କାର୍ଯ୍ୟାଳୟରେ ମାଡ଼ପିଟ୍‌: ପୋଲିସ ସୁରକ୍ଷାରେ ବୈଠକ କରିଲେ ପ୍ରଦେଶ ଅଧ୍ୟକ୍ଷ

ରାଞ୍ଚି,୨।୮: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଏବେ ନେତୃତ୍ୱହୀନ ହୋଇପଡ଼ିଛି। ନିର୍ବାଚନର ଫଳାଫଳ ପାଇଁ ପରସ୍ପର ଉପରେ କାଦୁଅଫିଙ୍ଗା ଚାଲିଥିବା ବେଳେ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାରଙ୍କୁ ଦାୟୀ କରି ପ୍ରଦେଶ କାର୍ଯ୍ୟାଳୟରେ ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋହାଲ୍ଲା ହେବା ସହ ମାଡ଼ପିଟ୍‌ ହୋଇଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ହେବା ସହ କର୍ମକର୍ତ୍ତାମାନେ ଅଜୟଙ୍କୁ ନିଜ ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଏହାପରେ ପୋଲିସ ସୁରକ୍ଷାବଳୟରେ କାର୍ଯ୍ୟାଳୟରେ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ବୈଠକ କରିଥିଲେ। ଅପରପକ୍ଷରେ ଏନେଇ ପ୍ରଦେଶ କଂଗ୍ରେସର ମୁଖପାତ୍ର କିଶୋର ନାଥ ଶହଦେବ ଘଟଣାର ଯାଞ୍ଚ କରିବା ସହ କହିଛନ୍ତି, ଏଭଳି ଘଟଣା ପ୍ରଦେଶ କଂଗ୍ରେସର ଇତିହାସରେ ପ୍ରଥମ। ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଦେଶ କାର୍ଯ୍ୟାଳୟରେ ଏଭଳି ଘଟଣା ହେବା ଦଳକୁ ଏକ ଶକ୍ତ ଝଟ୍‌କା ଲାଗିଛି ବୋଲି କିଶୋର ନାଥ କହିଛନ୍ତି। ସେହିପରି ଏହି ମାମଲାର ବିଚାର ପାଇଁ ୩ ଅଗଷ୍ଟରେ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟକୁ ସମସ୍ତ ବରିଷ୍ଠ ନେତାଙ୍କ ଏକ ବୈଠକ ଡକାଯାଇଛି।

Share