Categories: ଜାତୀୟ

କଂଗ୍ରେସ ଅଟକାଇଥିଲା ଅଯୋଧ୍ୟା ରାୟ

ମାନିକା/ଲୋହାରଡ଼ାଗା,୨୨-୧୧(ପି.ଟି.):କଂଗ୍ରେସ ଅଯୋଧ୍ୟା ରାୟକୁ ସୁପ୍ରିମକୋର୍ଟରେ ଅଟକାଇଥିଲା ଓ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଝୁଲାଇ ରଖିଥିଲା ବୋଲି ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ସମାଲୋଚନା କରିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇ ଶାହ ମାନିକା ଓ ଲୋହାରଡ଼ାଗା ସଭାରେ କହିଛନ୍ତି, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେଉ ବୋଲି ସମସ୍ତେ ଚାହୁଁଥିବାବେଳେ କଂଗ୍ରେସ ଏହି ମାମଲାକୁ ଅଟକାଇ ଦେଇଥିଲା। କଂଗ୍ରେସ ଯୋଗୁ ବହୁ ବର୍ଷ ଧରି ଅଯୋଧ୍ୟା ରାୟ ଆସି ନ ଥିଲା। ସାମ୍ବିଧାନିକ ଢାଞ୍ଚା ଅନୁସାରେ ଆମେ ଏହାର ସମାଧାନ ଚାହୁଁଥିଲୁ। ଏବେ ଭଗବାନ ରାମଙ୍କ ଆଶୀର୍ବାଦରେ ସୁପ୍ରିମକୋର୍ଟ ଭବ୍ୟ ରାମମନ୍ଦିର ନିର୍ମାଣ ରାସ୍ତା ପରିଷ୍କାର କରିଥିବା ଶାହ କହିଛନ୍ତି। ସେହିପରି କଶ୍ମୀର ପ୍ରସଙ୍ଗର ସମାଧାନରେ ବିଳମ୍ବ ପାଇଁ ମଧ୍ୟ ସେ କଂଗ୍ରେସକୁ ଦାୟୀ କରିଛନ୍ତି। କଂଗ୍ରେସ ଦଳ ଭୋଟବ୍ୟାଙ୍କ୍‌ ଲୋଭରେ କଶ୍ମୀର ପ୍ରସଙ୍ଗକୁ ଦୀର୍ଘ ୭୦ ବର୍ଷ ଧରି ଝୁଲାଇ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ର କଳଙ୍କକୁ ଭାରତ ମାତାଙ୍କ ମୁକୁଟମଣିରୁ ହଟାଇଦେଇ କଶ୍ମୀରରେ ବିକାଶର ପଥ ଉନ୍ମୁକ୍ତ କରିଛନ୍ତି ବୋଲି ଶାହ କହିଛନ୍ତି। କଂଗ୍ରେସ-ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ମେଣ୍ଟ ଭ୍ରଷ୍ଟାଚାରରେ ଲିପ୍ତ ରହି ଆଦିବାସୀ ଓ ଗରିବଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ ସମାଲୋଚନା କରିବା ସହ ରଘୁବର ଦାସ ସରକାରଙ୍କୁ ପୁନର୍ବାର କ୍ଷମତାସୀନ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Share