ଔଷଧ ଦୋକାନରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଳି,୨୨।୧୦- କେନ୍ଦ୍ରାପଡ଼ା ଜିଲା କଟକ- ଚାନ୍ଦବାଲି ରାସ୍ତାର ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତାରେ ଥିବା ଦି କେୟାର ଔଷଧ ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି। କୌଣସି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବେ ଏହି ନିଆଁ ଲଗେଇଥିବା ସୋମବାର ଦୋକାନ ମାଲିକ ମହମ୍ମଦ ନସିମ ଅହମ୍ମଦ ଆଳି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ,ସବୁଦିନପରି ସେ ରାତି ୧୦ ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ପାଖ ଦୋକାନୀ ଦୋକାନରେ ନିଆଁ ଲାଗିଥିବା ନେଇ ସୂଚନା ଦେଇଥିଲେ। ଖବରପାଇ ଅହମ୍ମଦ ଅଗ୍ନିଶମ ସେବା ସଂସ୍ଥାକୁ ଜଣାଇଥିଲେ। ପରେ ଏହି ସଂସ୍ଥାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଦୋକାନରେ ଥିବା ସମସ୍ତ ଔଷଧ ଓ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା। ଗତ ୩ ଦିନ ପୂର୍ବେ ଦୋକାନ ପଛ ପଟରେ ଥିବା କବାଟରେ କୌଣସି ଦୁର୍ବୃତ୍ତ ନିଆଁ ଲଗେଇଦେଇଥିବାବେଳେ ଏବେ ପୁଣିଥରେ ଦୋକାନରେ ଉଦ୍ଦେଶ୍ୟମୂଳକ ଭାବେ ନିଆଁଲଗାଯାଇଛି ବୋଲି ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।