ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଜିଲାର ସମସ୍ତ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣିଥିବା ଲୋକଙ୍କ ତଥ୍ୟ ପ୍ରଶାସନକୁ ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଗୁରୁବାରଠାରୁ ଜିଲାରେ ଏହା ଲାଗୁ କରାଯିବ। କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ କେଉଁ ରୋଗ ପାଇଁ କି ଔଷଧ କିଣିଛନ୍ତି, ଔଷଧ କିଣିଥିବା ବ୍ୟକ୍ତିଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ଦୋକାନୀମାନେ ପଚାରି ବୁଝିବେ। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଫର୍ମାଟରେ ଦୋକାନୀମାନେ ଏ ସବୁ ତଥ୍ୟ ରଖି ଦୈନିକ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଦେବେ। ଡ୍ରଗ୍ସ ଇନ୍ସପେକ୍ଟରମାନେ ଦୈନିକ ଏହି ରିପୋର୍ଟ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେବେ। ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଉକ୍ତ ରିପୋର୍ଟ ଡିଆରଡିଏ ପିଡି ଓ ଛତ୍ରପୁରସ୍ଥିତ କୋଭିଡ ସେଲକୁ ଦେବାକୁ ଜ଼ିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।