Categories: ଜାତୀୟ

ଔଦ୍ୟୋଗିକ ଉତ୍ପାଦନ ହ୍ରାସ:ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୯:ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଖୁସି ଆଣିନାହିଁ। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩% ରହିଛି। ଗତବର୍ଷ ଏହି ସମୟରେ ଏହା ୬.୫% ରହିଥିଲା। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଚଳିତବର୍ଷ ଏପ୍ରିଲ-ଜୁଲାଇ ମଧ୍ୟରେ ଔଦ୍ୟୋଗିକ ଉତ୍ପାଦନ ୩.୩% ରହିଛି, ଯାହା କି ବର୍ଷକ ପୂର୍ବରୁ ଏହି ସମୟରେ ୫.୪% ରହିଥିଲା। ଆଲୋଚ୍ୟ ମାସରେ ମାନୁଫାକ୍‌ଚରିଂ ସେକ୍ଟରରେ ଅଭିବୃଦ୍ଧି ୪.୨% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୭% ରହିଥିଲା। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ(ସିଏସ୍‌ଓ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ମାନୁଫାକ୍‌ଚରିଂ ଉତ୍ପାଦନ ହାର ୪.୨% ଥିଲା। ବର୍ଷକ ପୂର୍ବେ ଏହା ୭% ରହିଥିଲା। ଆଲୋଚ୍ୟ ମାସରେ ବିଜୁଳି ଉତ୍ପାଦନ ୪.୮%, ଖଣି ଖନନ କ୍ଷେତ୍ରରେ ଉତ୍ପାଦନ ୪.୯%କୁ ବୃଦ୍ଧି ପାଇଛି, ଯାହା କି ବର୍ଷକ ପୂର୍ବରୁ ୩.୪% ରହିଥିଲା। ପୁଞ୍ଜିଗତ ସାମଗ୍ରୀ ଉତ୍ପାଦନ ଜୁଲାଇରେ ୭.୧%କୁ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଏହି ସମୟରେ ୨.୩% ବୃଦ୍ଧି ଦେଖାଯାଇଥିଲା। ନିର୍ମାଣ କ୍ଷେତ୍ରରେ ୨.୧% ଅଭିବୃଦ୍ଧି ହୋଇଥିବା ବେଳେ ବିନିର୍ମାଣ କ୍ଷେତ୍ରର ୨୩ ମଧ୍ୟରୁ ୧୨ କ୍ଷେତ୍ରରେ ଜୁଲାଇରେ ଅଭିବୃଦ୍ଧି ହାସଲ ହୋଇଛି।
ଅନ୍ୟପକ୍ଷରେ ଖାଦ୍ୟପଦାର୍ଥ ଦରବୃଦ୍ଧି କାରଣରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୨୧% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୩.୧୫% ଥିଲା। ଏହା ୧୦ ମାସରେ ସର୍ବାଧିକ। ୨୦୧୮ ଅକ୍ଟୋବରରେ ଏହା ୩.୩୮% ରହିଥିଲା। ତେବେ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ୪%ର ଲକ୍ଷ୍ୟ ମଧ୍ୟରେ ରହିଛି। ଫୁଡ୍‌ ବାସ୍କେଟରେ ମୁଦ୍ରାସ୍ପୀତି ହାର ୨.୯୯%ରେ ପହଞ୍ଚତ୍ୟାଇଛି। ଜୁଲାଇରେ ଏହା ୨.୩୬% ଥିଲା ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି। ମାଂସ ଓ ମାଛ ଦର ବୃଦ୍ଧି କ୍ଷେତ୍ରରେ ୮.୫୧%, ଡାଲି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦରବୃଦ୍ଧି ୬.୯୪%, ପନିପରିବା ଦର ୬.୯% ବଢ଼ିଛି।

Share