ଓୟେ ଗୀଟାର

ଗୀତ ଗାଇ ସୁନାମ ଅର୍ଜନ କରିବାକୁ ଅନେକେ ନିଜ ମନରେ ଆଶା ରଖିଥାଆନ୍ତି। ନିଜ ଆଶାକୁ ପୂରଣ କରିବା ପାଇଁ ସେମାନେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହାକୁ ସାହସର ସହ ସାମ୍‌ନା କରିଥାଆନ୍ତି। ଠିକ୍‌ ସେହିପରି ଦିନେ ଗାୟିକା ହେବାର ସ୍ବପ୍ନ ଦେଖିଥିଲା ସଙ୍ଗୀତା। ନିଜ ସ୍ବପ୍ନକୁ ସାକାର କରିବାକୁ ସେ ଧୃପଦର ସହାୟତା ନେଇଛି। ସେପଟେ ଧୃପଦ ମଧ୍ୟ ସ୍ବର ସଂଯୋଯକ ହେବାର ଆଶା ପୂରଣ ହୋଇଛି। ହେଲେ ଏହା ଭିତରେ ଦୁହେଁ ପ୍ରେମରେ ପଡ଼ିଯାଇଛନ୍ତି ଆଉ ସେହି ପ୍ରେମ ସଫଳ ହେଉଛି ତ ? ଏପରି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଓୟେ ଗୀଟାର’। ଏଥିରେ ସଙ୍ଗୀତା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଆହାନା। ତାଙ୍କ ସହ ନାୟକ ଭାବରେ ସ୍କ୍ରିନ୍‌ ଶେୟାର କରିଛନ୍ତି ଅମନ୍‌। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଆପୁ କାନୁନଗୋ। ଏ ସମ୍ପର୍କରେ ଆହାନା କହନ୍ତି, ‘ଏଥିରେ ମୋତେ ଏକ ଚୁଲ୍‌ବୁଲି କ୍ୟାରେକ୍ଟର ମିଳିଛି। ହେଲେ ହଠାତ୍‌ ସେ ବଦଳି ଯାଉଛି ଆଉ ତା’ ପଛରେ କାରଣ କ’ଣ ରହିଛି ତାହା ଫିଲ୍ମଟି ଦେଖିଲେ ଜାଣିପାରିବେ।’ ମ୍ୟୁଜିକକୁ ନେଇ ନିିର୍ମିତ ଏହି ସସ୍‌ପେନ୍ସ ଥ୍ରୀଲର ସିନେମାର ପ୍ରଯୋଜନା କରିଛନ୍ତି ନବାଗତ ପ୍ରଯୋଜକ ଚନ୍ଦ୍ରପ୍ରିୟ ସୁବୁଦ୍ଧି ଏବଂ ସଂଯୋଜିତ ଦୁଇଟି ଗୀତକୁ ସ୍ବର ଦେଇଛନ୍ତି ନିଜେ ନିର୍ଦ୍ଦେଶକ ଆପୁ କାନୁନ୍‌ଗୋ। ଫିଲ୍ମଟିର ଶୁଟିଂ ଶେଷ ହୋଇଛି ଏବଂ ରିଲିଜ ଡେଟ୍‌ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share