ଓୟୁଜେର ୪୮ତମ ପ୍ରତିଷ୍ଠା ଦିବସ ସମାରୋହ: ସାମ୍ବାଦିକଙ୍କ ସୁରକ୍ଷା ଲାଗି ସମ୍ମିଳିତ ପ୍ରୟାସ ହେବ

ଭୁବନେଶ୍ୱର,୨୩ା୧୨ (ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏଥିଲାଗି ସମ୍ମିଳିତ ପ୍ରୟାସ ହେବ। ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଖୁବଶୀଘ୍ର ଏକ ମିଳିତ ବୈଠକ ବସିବାର ଆବଶ୍ୟକତା ରହିଛି ବୋଲି ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ୪୮ତମ ପ୍ରତିଷ୍ଠା ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ରବିବାର ସ୍ଥାନୀୟ ଇଡ଼୍‌କଲ୍‌ ଅଡିଟୋରିୟମରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଦାସ କହିଲେ, ସାମ୍ବାଦିକଙ୍କ ପକ୍ଷରୁ ଉପସ୍ଥାପିତ ବିଭିନ୍ନ ଦାବି ସମ୍ପର୍କରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ଖୁବଶୀଘ୍ର ସବୁ ପକ୍ଷ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଲେ, ଖବରଦାତାମାନେ ପ୍ରକୃତ ତଥ୍ୟକୁ ବିକୃତ ନ କରି ନିଚ୍ଛକ ଖବର ପରିବେଷଣ କରନ୍ତୁ। ସମ୍ପ୍ରତି ସାମ୍ବାଦିକତା କ୍ଷେତ୍ରରେ ନକଲିଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଏହା ଉପରେ ଅଙ୍କୁଶ ଲାଗିବାର ଆବଶ୍ୟକତା ରହିଥିବା ସେ କହିଥିଲେ।
ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ସମାରୋହରେ ଅଧ୍ୟକ୍ଷତା କରି ସାମ୍ବାଦିକଙ୍କ ବୀମା ରାଶିକୁ ୨ ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସାମ୍ବାଦିକ ପେନ୍‌ସନ୍‌ ଯୋଜନା ଲାଗୁ କରିବା ଓ ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ। ଏହି ଅବସରରେ ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉଭୟ ମନ୍ତ୍ରୀଙ୍କୁ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଖବରଦାତା ନିମାଇଁ ଚରଣ ମହାନ୍ତିଙ୍କୁ ଓୟୁଜେ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ଖବରଦାତା ବିଭୂତି ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ହଳଧର ଧିର ଓ ଶିଶିର କୁମାର ଦାସ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ବିବରଣୀ ପାଠ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଅଧିକ ସଦସ୍ୟ ଯୋଗଦେଇଥିଲେ।