ଓ୍ବେଟ୍‌ ଲିଫ୍ଟିଙ୍ଗ କରିବାକୁ ଭଲଲାଗେ

ସୁରମୟୀ ମହାପାତ୍ର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ନାୟିକା। ରିଅଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୍‌-୨ର ବିଜେତା ସୁରମୟୀ ପ୍ରଥମେ ‘ଭଲପାଏ ତତେ ୧୦୦ରୁ ୧୦୦’ ଫିଲ୍ମ ଜରିଆରେ ଓଡ଼ିଆ ସିନେ ଜଗତରେ ପାଦ ଥାପିଥିଲେ। ଏହାପରେ ସେ ୭ଟି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଛନ୍ତି। ତେବେ ବ୍ୟସ୍ତତା ଜୀବନରେ ନିଜକୁ କିଭଳି ଫିଟ୍‌ ରଖାଯାଇପାରିବ ସେଥିପ୍ରତି ସେ ସବୁବେଳେ ବ୍ୟାୟାମ ଉପରେ ଗୁରୁତ୍ୱ ଦିଅନ୍ତି।

ନୃତ୍ୟପ୍ରିୟ ନାୟିକା ସୁରମୟୀ ସକାଳୁ ଉଠିଲେ ପ୍ରଥମେ ମ୍ୟୁଜିକ୍‌ ବିଟ୍‌ରେ ଏକ୍ସରସାଇଜ୍‌ କରନ୍ତି। ଏହାପରେ ସେ ଲେମ୍ବୁ ଓ ମହୁ ମିଶା ଏକ କପ୍‌ ଉଷୁମ ପାଣି ପିଇଥାନ୍ତି। ପରେ ଦୁଇଟି କଦଳୀ ଓ ଗୋଟିଏ ସେଓ ଖାଆନ୍ତି ଓ ଜିମ୍‌କୁ ଯାଇଥାନ୍ତି। ଯଦି ଫିଲ୍ମ ଶୁଟ୍‌ ଚାଲିଥାଏ ତେବେ ଜିମ୍‌ରେ କାର୍ଡିଓ ଏକ୍ସରସାଇଜ୍‌ କରିଥାନ୍ତି। ଅନ୍ୟ ସମୟରେ ଓ୍ବେଟ୍‌ ଲିଫ୍ଟିଙ୍ଗ ଏକ୍ସରସାଇଜ୍‌ କରିବାକୁ ପ୍ରିଫର କରନ୍ତି। ଓ୍ବେଟ୍‌ ଲିଫ୍ଟିଂ ଏକ୍ସରସାଇଜ୍‌ ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ବୋଲି ମନେ କରନ୍ତି ସୁରମୟୀ। ସେ ବ୍ରେକ୍‌ଫାଷ୍ଟରେ ବିନା ତେଲଯୁକ୍ତ ଓ ଲଞ୍ଚରେ ଘରୋଇ ଖାଦ୍ୟ ଖାଆନ୍ତି। ସନ୍ଧ୍ୟାରେ ୪ରୁ ୫ କିଲୋମିଟର ଚାଲିବାକୁ ଯାଆନ୍ତି। ଫେରିବା ପରେ ଅନ୍ୟାନ୍ୟ କାମ ସାରି ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ସେ ଡିନର କରିଥାନ୍ତି। ଦିନକୁ ଯଦିଓ ଅଧିକ ପାଣି ପିଇ ପାରନ୍ତି ନାହିଁ, ତଥାପି ବିଭିନ୍ନ ହେଲ୍‌ଦି ଡ୍ରିଙ୍କ୍ସ ପିଇଥାନ୍ତି।
ଜଣେ କଳାକାର ପାଇଁ ନୁହେଁ, ସମସ୍ତଙ୍କ ପାଇଁ ଫିଟ୍‌ନେସର୍‌ ଗୁରୁତ୍ୱ ରହିଛି। ସେଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ଏକ୍ସରସାଇଜ୍‌ କରିବା ଉଚିତ ବୋଲି ସୁରମୟୀ କୁହନ୍ତି।

Share