Categories: ଖେଳ

ଓ୍ବାଶିଂଟନ ଫାଇନାଲରେ କିର୍ଗିୟସ୍‌

ଓ୍ବାଶିଂଟନ,୪।୮(ଏଏଫ୍‌ପି): ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ନିକ୍‌ ଗିର୍ଗିୟସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍‌ରେ କିର୍ଗିୟସ ଟପ୍‌ ସିଡ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସଙ୍କୁ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗର ୫୨ତମ ସ୍ଥାନରେ ଥିବା କିର୍ଗିୟସ ୬-୪, ୩-୬, ୭-୬ ସେଟରେ ସିଟ୍‌ସିପାସଙ୍କୁ ହରାଇ ଟାଇଟଲ ମୁକାବିଲା ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ସେଟ୍‌ରେ କିର୍ଗିୟସ ବିଜୟୀ ହୋଇଥିଲେ ମଧ୍ୟ ଦ୍ୱିତୀୟ ସେଟ୍‌ରେ ପରାସ୍ତ ହୋଇଥିଲେ। ତେବେ ତୃତୀୟ ସେଟ୍‌ ଜିତିବାକୁ ତାଙ୍କୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ଟାଇଟଲ ପାଇଁ ସେ ଏବେ ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ରେ ଦଶମ ର଼୍ୟାଙ୍କର ଖେଳାଳି ରୁଷିଆର ଡାନିଲ ମେଡଭେଡେଭଙ୍କୁ ଭେଟିବେ। ମେଡଭେଡେଭ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍‌ରେ ଜର୍ମାନୀର ପିଟର ଗୋଜୋସିକଙ୍କୁ ୬-୨,୬-୨ ସେଟରେ ହରାଇ ଫାଇନାଲକୁ ଉଠିଛନ୍ତି। ୨୪ ବର୍ଷୀୟ କିର୍ଗିୟସ ଚଳିତବର୍ଷ ରୋମରେ ମେଡଭେଡେଭଙ୍କୁ ପରାସ୍ତ କରିଥିଲେ। ଟାଇଟଲ ଜିତିଲେ କିର୍ଗିୟସ ୩୬୫,୩୯୦ ଆମେରିକୀୟ ଡଲାର ପୁରସ୍କାର ରାଶି ହାସଲ କରିବେ। ନିଜ ପ୍ରଦର୍ଶନରେ କିର୍ଗିୟସ୍‌ ବେଶ୍‌ ଖୁସି ଜାହିର କରିଛନ୍ତି। ଚଳିତ ସପ୍ତାହରେ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିବା କହିଛନ୍ତି।

Share