Categories: ଖେଳ

ଓ୍ବାର୍ମଅପ୍‌ ମ୍ୟାଚ୍‌: ୨୬୩ ରନ୍‌ରେ ଅଲଆଉଟ୍‌ ଭାରତ, ହନୁମାଙ୍କ ଶତକ

ହାମିଲଟନ,୧୪।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରା(୯୩)ଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ଏକମାତ୍ର ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପ୍ରଥମ ଦିନରେ ୨୬୩ ରନ୍‌ରେ ସୀମିତ ରହିଛି। ଓପନିଂ ସ୍ପଷ୍ଟ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୟଙ୍କ ଅଗ୍ରଓ୍ବାଲ (୧), ପୃଥ୍ବୀ ଶ (୦) ଓ ଶୁବମନ ଗିଲ (୦) ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତାର କାରଣ। ଶ ଓ ଗିଲ ଅତ୍ୟଧିକ ବାଉନ୍ସ ଯୋଗୁ ଫଶି ଥିବାବେଳେ ସୁଇଙ୍ଗ୍‌ ବୁଝି ନ ପାରି ଆଉଟ ହୋଇଥିଲେ ଅଗ୍ରଓ୍ବାଲ। ନ୍ୟୁଜିଲାଣ୍ଡ ପେସର ସ୍କଟ କୁଗଲେଜିନ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅଧିନାୟକ ବିରାଟ କୋହଲି ଓ୍ବାର୍ମଅପ୍‌ ମ୍ୟାଚ୍‌ ପରିବର୍ତ୍ତେ ନେଟ୍‌ ସେସନରେ ଯୋଗ ଦେଇଥିଲେ। ତାଙ୍କ ଅନୁପସ୍ଥିତିରେ ଗିଲ ୪ର୍ଥ କ୍ରମରେ ବ୍ୟାଟିଂ କରିଥିଲେ। ଶ ଓ ଅଗ୍ରଓ୍ବାଲଙ୍କ ଭଳି ଗିଲ ମଧ୍ୟ କୁଗଲେଜିନଙ୍କ ଦ୍ୱାରା ହିଁ ଆଉଟ୍‌ ହୋଇଥିଲେ। ଟିମ୍‌ ଇଣ୍ଡିଆ ମାତ୍ର ୫ ରନ୍‌ରେ ୩ ଉଇକେଟ ହରାଇସାରିଥିଲା। ପ୍ରଥମ ଘଣ୍ଟାରେ ଅଜିଙ୍କ୍ୟ ରାହାନେ ଚତୁର୍ଥ ଉଇକେଟ ପାଇଁ (୧୮) ମଧ୍ୟ ପ୍ୟାଭିଲିଅନ ଫେରିଥିଲେ। ବିହାରୀ ଓ ପୂଜାରା ୧୯୫ ରନ୍‌ ଯୋଡ଼ିଥିଲେ। ସ୍ପିନର ଇଶ ସୋଧିଙ୍କ ବଲକୁ ଛକା ମାରିବାକୁ ଯାଇ ପୂଜାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବିହାରୀ ତିନି ଅଙ୍କ ସ୍କୋର ଛୁଇଁବା ପରେ ରିଟାୟର୍ଡ ଆଉଟ୍‌ ହୋଇଥିଲେ। ଭାରତୀୟ ଦଳ ମାତ୍ର ୩୦ ରନ୍‌ରେ ଅନ୍ତିମ ୬ ଉଇକେଟ ହରାଇଥିଲା। ଉଇକେଟକିପର ରିଷଭ ପନ୍ତଙ୍କ ପାଇଁ ପୁଣି ଥରେ ଖରାପ ଶଟ୍‌ କାଳ ପାଲଟିଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତୀୟ ଦଳ- ୭୮.୫ ଓଭରରେ ୨୬୩/ଅଲଆଉଟ୍‌ (ହନୁମା ବିହାରୀ ୧୦୧, ଚେତେଶ୍ୱର ପୂଜାରା ୯୩, ସ୍କଟ କୁଜଲେଜିନ ୪୦/୩, ଇଶ ସୋଧି ୭୨/୩, ଜ୍ୟାକ ଗିବସନ ୨୬/୨)।

Share