ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକ

ମୁମ୍ବାଇ,୧।୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଗୀତିକାର ସଲିମ ମର୍ଚାଣ୍ଟ ଟୁଇଟ୍‌ କରି କହିଛନ୍ତି, ୱାଜିଦଙ୍କ ମୃତ୍ୟୁ ଖବର ମୋତେ ବ୍ୟଥିତ କରିଛି। ୱାଜିଦ ଭାଇ, ତୁମେ ବହୁତ ଶୀଘ୍ର ଚାଲିଗଲ। ଏହା ଆମ ପାଇଁ ଏକ ବଡ କ୍ଷତି। ତୁମ ପରଲୋକରେ ମୁଁ ଚକିତ ହୋଇ ଭାଙ୍ଗି ପଡିଛି। ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ସେହିପରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଓ୍ବାଜିଦଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ଏକ ଦୁଃଖଦ ଖବର। ୱାଜିଦ ଭାଇଙ୍କ ହସ ମୋର ସବୁବେଳେ ମନେ ରହିବ। ତାଙ୍କ ପରିବାରକୁ ସମବେଦନା ଜଣାଉଛି। ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂ ମଧ୍ୟ ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି, ସେ ଜଣେ ପ୍ରତିଭାସମ୍ପନ୍ନ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ତାଙ୍କ ସଙ୍ଗୀତ ଚିରସବୁଜ ବୋଲି ସେ କହିଛନ୍ତି। ଅଭିନେତା ଅକ୍ଷୟ କୁମାର, ଅମିତାଭ ବଚ୍ଚନ ଏବଂ ରଣବୀର ସିଂ ମଧ୍ୟ ଓ୍ବାଜିଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Share